କୋଇଲା ଚୋରି ରୋକିବାକୁ ଯାଇ ମାଡ଼ ଖାଇଲେ ଆରପିଏଫ୍ କର୍ମଚାରୀ, ୨ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: କୋଇଲା ଚୋରି ରୋକିବାକୁ ଯାଇ ମାଡ଼ ଖାଇଲେ ଆରପିଏଫ କର୍ମଚାରୀ। ତଦନ୍ତ ପାଇଁ ଯାଇଥିବା ଆରପିଏଫ କର୍ମଚାରୀ ଟିମ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଧାମରାରୁ ଟ୍ରେନରେ ଆସୁଥିବା କୋଇଲା ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଚୋରା କୋଇଲାକୁ ସ୍ଥାନୀୟ ଲୋକେ ବେଆଇନ ଇଟା ଭାଟିରେ ବ୍ୟବହାର କରୁଥିଲେ। ଖବର ପାଇ ଖୋର୍ଦ୍ଧା ଡିଭିଜନର ଆରପିଏଫ କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ ପଳାସପୁରରେ ଚଢ଼ଉ କରିଥିଲେ। ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲେ। ଏହି ସମୟରେ ସ୍ଥାନୀୟ ୨୦ରୁ ୩୦ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଆରପିଏଫର ୨ କର୍ମଚାରୀ ମୁକେଶ କୁମାର ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ପ୍ରଥମେ ତିହିଡି ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଚାନ୍ଦବାଲି ପୁଲିସ ଏହି ଘଟଣାର ତଦନ୍ତ କରୁଛି।