ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପିପିଲି-ଡେଲାଙ୍ଗ ବିକାଶ ପାଇଁ ୬୮ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକା ଥରକେ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ। କେବଳ ସେତିକି ନୁହେଁ, ସରକାର ଏକଥା ବି ଦୋହରାଇଛନ୍ତି ଯେ ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିଥିଲେ। ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ।

ଗାନ୍ଧିଜୀଙ୍କ ଆଦର୍ଶ ବର୍ତ୍ତମାନ ସମୟରେ ଖୁବ ଜରୁରୀ। ଏଣୁ ବେରବୋଇଠାରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ସେଠାରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ମଧ୍ୟ ବିକାଶ ହେବ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେ ସବୁବେଳେ ଗାଁ’ର ବିକାଶ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ମହିଳା ଓ ଚାଷୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ। ଏହି ଅବସରରେ କରୋନା ଲକ୍‌ଡ଼ାଉନ ସମୟରେ ମିଶନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ପୂର୍ବତନ ବିଧାୟକ ସ୍ୱର୍ଗତଃ ମହାରଥୀଙ୍କ ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାଏକ କହିଥିଲେ, ‘‘ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି। ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ। ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ। ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି।’’

ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା। ପିପିଲିଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଡେଲାଙ୍ଗଠାରେ ଆୟୋଜିତ ସମାବେଶରେ ଯୋଗଦେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ। ଶ୍ରୀମନ୍ଦିରର ବିକାଶ ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବ ବୋଲି ସେ କହିଥିଲେ।

ଏହି ଅବସରରେ ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ପିପିଲି ବଡକଣ୍ଟି ଗ୍ରାମର ହିତାଧିକାରୀ ପ୍ରମୋଦିନୀ ମାଝୀ ଏବଂ ଡେଲାଙ୍ଗର ପ୍ରମୋଦ ଭୋଇ ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।