ଖେଳରତ୍ନ ଦୌଡ଼ରେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଖେଳ ଜଗତର ସର୍ବୋଚ୍ଚ ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ନାମାଙ୍କିତ କରାଯାଇଛି। ରୋହିତଙ୍କ ସହ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ଟେବୁଲ ଟେନିସ ଖେଳାଳି ମୋନିକା ବୋତ୍ରା ଓ ୨୦୧୬ ପାରାଅଲମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ମରିୟପ୍ପନ ଥଙ୍ଗାବେଲୁଙ୍କ ନାମ ମଧ୍ୟ ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ସୁପାରିଶ କରାଯାଇଛି।

ହିଟମ୍ୟାନ ରୋହିତ ଶର୍ମାଙ୍କ ପାଇଁ ବର୍ଷ ୨୦୧୯ ଖୁବ୍ ଶୁଭଦାୟକ ଥିଲା। ରୋହିତ ଦିନିକିଆ ମ୍ୟାଚରେ ମୋଟ ୧୪୯୦ ରନ ସଂଗ୍ରହ କରିବା ସହ ୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ୬୪୮ ରନ୍ କରିଥିଲେ। ରୋହିତ ବିଶ୍ୱକପରେ ରେକର୍ଡସ୍ତରରେ ୫ଟି ଶତକ ମାରିଥିଲେ।

ସୂଚନାଯୋଗ୍ୟ, ରୋହିତଙ୍କୁ ଯଦି ଖେଳରତ୍ନ ପୁରସ୍କାର ମିଳେ ତେବେ ସେ ଭାରତୀୟ କ୍ରିକେଟର ଚତୁର୍ଥ ଖେଳାଳି ଭାବେ ଏହି ସମ୍ମାନ ହାସଲ କରିବେ। ତାଙ୍କ ପୂର୍ବରୁ ସଚ୍ଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ କୋହଲୀ ଖେଳରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।