ମାଲକାନଗିରି,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ରାସ୍ତାରୋକ କରାଯାଇଛି। ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ସଭାପତି ସୋନୁ ଅନୁଗୁଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ବାଲାରାଜୁ ଗେମେଲ, ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ମହାସଂଘର ସଭାପତି ଘେନୁ ମୁଦୁଲିଙ୍କ ସମେତ ଶତାଧିକ ଚାଷୀ ବସଷ୍ଟାଣ୍ଡ ଓ ବାଲିମେଳା ଛକ ନିକଟରେ ରାସ୍ତା ଅବରୋଧ କରି ରାସ୍ତାରୋକ କରିଛନ୍ତି। ଫଳରେ ପ୍ରାୟ ୨ ଘଣ୍ଟା ମୁଖ୍ୟ ରାସ୍ତାରେ ବିଭିନ୍ନ ଗାଡ଼ି ମୋଟର ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ଏହି ୩ଟି ଆଇନ ବାତିଲ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜିଲ୍ଲାବ୍ୟାପି କରାଯିବ ବୋଲି ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ସଭାପତି ଶ୍ରୀ ଅନଗୁ ଚେତାବନୀ ଦେଇଛନ୍ତି।