ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ନଗର ବିଜେପି ସଭାପତି ଶ୍ୟାମ କୁମାର ଦାଶଙ୍କୁ ହତ୍ୟା ଧମକ। ବିଭିନ୍ନ ସମୟରେ ଘରକୁ ଜୀବନରୁ ମାରିଦେବା ପାଇଁ ଚିଠି ଆସୁଥିବାରୁ ପରିବାର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗତ କିଛିଦିନ ତଳେ ଦୁଇ ଦୁଇ ଥର ଏପରି ଧମକ ପୂର୍ଣ୍ଣ ଚିଠି ଆସିବା ପରେ ଆଜି ଶ୍ରୀ ଦାସଙ୍କ ଜୀବନ ସୁରକ୍ଷା ଦାବି କରି ଜିଲ୍ଲା ବିଜେପି ରାୟଗଡ଼ା ଏସପିଙ୍କ ଦ୍ଵାରସ୍ଥ ହୋଇଛି।
ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି କର୍ମୀମାନେ ନଗର ସଭାପତି ଓ ତାଙ୍କ ପରିବାରକୁ ସୁରକ୍ଷା ଦାବି କରିବା ସହ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗକୁ ପୌରପରିଷଦ ନିର୍ବାଚନ ରହିଥିବାରୁ ଗତ କିଛିଦିନ ହେବେ ବିଜେପି ନଗର ସଭାପତି ଶ୍ୟାମ କୁମାର ଦାସ ସହରରେ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ମିଶୁଛନ୍ତି। ତେବେ ତାଙ୍କ ସାଂଗଠନିକ ଦକ୍ଷତାକୁ ସହ୍ୟ କରିନପାରି କେହି ଜଣେ ଏପରି ହୀନ ଉଦ୍ୟମ କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଗତ ଡିସେମ୍ବର ୨୨ ତାରିଖରେ ସ୍ତ୍ରୀ ସସ୍ମିତା ତ୍ରିପାଠୀଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ବେଳେ ତାର ଗୋଟିଏ ଦିନ ପରେ ବାପା ଶିବଚରଣ ଦାଶଙ୍କ ନାଁରେ ହତ୍ୟା ଧମକ ଆସିଥିଲା। ତେବେ ବାରମ୍ବାର ଏପରି ଚିଠି ଆସୁଥିବାରୁ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିବା ସହ ମୋ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା କହିଛନ୍ତି। ଏଣୁ ମୋତେ ସୁରକ୍ଷା ଦିଆଯାଉ ବୋଲି ନଗର ସଭାପତି ଶ୍ୟାମକୁମାର ଦାଶ କହିଛନ୍ତି। ଏନେଇ ରାୟଗଡା ଟାଉନ ଥାନା ଅଧିକାରୀଙ୍କ ସମେତ, ଡିଆଇଜି, ପୁଲିସ ଡିଜି ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।