୨୪ ନଂ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ରୋକ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡିରହିଛି। ସେହିପରି ଅଦିନିଆ ବର୍ଷା ଏବଂ କୋହଲା ପାଗ ଚାଷୀଙ୍କ ପରିଶ୍ରମର ଫଳକୁ ନଷ୍ଟ କରିବାର ଆଶଙ୍କା ଦେଖାଦେଇଛି। ଦେବଗଡ଼ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ନ ଥିବାରୁ ବିଭିନ୍ନ ସେବା ସମବାୟ ସମିତି ଗୁଡିକର ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନାହିଁ। ଫଳରେ ଚାଷୀ ପାଇଥିବା ଟୋକନର ସମୟ ମଧ୍ୟ ଶେଷ ହୋଇଯାଇଛି। ଏ ନେଇ ବିଭିନ୍ନ ସେବା ସମବାୟ ସମିତିର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଛନ୍ତି।

ଏହି କ୍ରମରେ ଆଜି ସକାଳୁ ରିଆମାଳ ବ୍ଲକ୍ ଅନ୍ତର୍ଗତ ତାରଙ୍ଗ ସେବା ସମବାୟ ସମିତିରେ ପଞ୍ଜିକୃତ ଶତାଧିକ ଚାଷୀ ସେମାନଙ୍କ ଧାନ ବିକ୍ରି ହେଉ ନଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦେବଗଡ଼ ରେଢ଼ାଖୋଲ ୨୪ନଂ ରାଜ୍ୟ ରାଜପଥରେ ଚାଷୀମାନେ ଧାନ ବସ୍ତା ରଖି ଅବରୋଧ କରିବା ସହ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଚାଷୀଙ୍କ ମତାମତ ନେବାରୁ ଉକ୍ତ ସେବା ସମବାୟ ସମିତିରୁ ଗତ ଜାନୁୟାରୀ ୧୮ ତାରିଖରୁ ମିଲର୍ସ ଧାନ କିଣିବା ବନ୍ଦ କରିଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ମିଲର ଦେଇଥିବା ପ୍ରତିଶୃତିରୁ ଓହରି ଏପର୍ଯ୍ୟନ୍ତ ଧାନ କିଣିବା ଆରମ୍ଭ ହୋଇନାହିଁ। ମଣ୍ଡିରୁ ଧାନ କିଣା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ତେବେ ଆନ୍ଦୋଳନ ରତ ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ। ପୁଲିସ ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ପଳସମା ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ସେମାନଙ୍କ ଧାନ କିଣାଯାଉ ନଥିବା ପ୍ରତିବାଦରେ ଗତକାଲି ଠାରୁ ଉକ୍ତ ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। କଣ୍ଟାପାଲି ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଗତ ବୁଧବାର ଠାରୁ ଦେବଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡିରେ ଧାନ କିଣା ଦାବିରେ ଆମରଣ ଅନଶନରେ ବସିଥିଲେ। ଗତକାଲି ରାତ୍ରିରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ପରେ ଚାଷୀମାନେ ଅନଶନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।