ତାମିଲନାଡୁ ରାଜ୍ୟପାଳ ଭାବେ ଶପଥ ନେଲେ ଆରଏନ ରବି

ଚେନ୍ନାଇ,ଏଜେନ୍ସି: ତାମିଲନାଡୁର ୫୦ତମ ରାଜ୍ୟପାଳ ଭାବେ ଶପଥ ପାଠ କଲେ ରବିନ୍ଦ୍ର ନାରାୟଣ ରବି। ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରବି ପୂର୍ବରୁ ନାଗାଲାଣ୍ଡର ୧୮ତମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।

ସେ ଭାରତୀୟ ପୋଲିସ ସେବା (ଆଇପିଏସ)ର ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ସେ ୨୦୧୯ ଅଗଷ୍ଟ ୧ ତାରିଖରୁ ଚଳିତ ବର୍ଷ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ନାଗାଲାଣ୍ଡର ରାଜ୍ୟପାଳ ଥିଲେ। ଏହାପରେ ସେ ତାମିଲନାଡୁ ରାଜ୍ୟପାଳ ଭାବେ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଶପଥ ପାଠ ପାଇଁ ଗତ ଗୁରୁବାର ନୂତନ ରାଜ୍ୟପାଳ ଚେନ୍ନାଇରେ ପହଞ୍ଚିଛନ୍ତି। ଆଜି ଶପଥ ପାଠ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ବାଚସ୍ପତି ଅପ୍ପଭୁ, ବିରୋଧୀ ଦଳ ନେତା ଏଡାପଡି ପଲାନିସ୍ୱାମୀ, କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ଏମଡ଼ିଏମକେ ମୁଖ୍ୟ ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ। ଗତ ଗୁରୁବାର ରବି ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହିତ କ୍ୟାବିନେଟର ବରିଷ୍ଠ ଅଧିକାରୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ।