ପ୍ରେମ ପ୍ରତାରଣା ଶିକାର ନାବାଳିକାର ଆତ୍ମହତ୍ୟା ଉଦ୍ୟମ: ଅଭିଯୁକ୍ତ ପ୍ରେମିକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ପ୍ରେମ ପ୍ରତାରଣାର ଶିକାର ହୋଇ କୁଣ୍ଢେଇଗୋଳା ଥାନାଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରୁଥିବା ଘଟଣାରେ ପ୍ରେମିକକୁ ଗିରଫ କରିଛି ପୁଲିସ। ପରିବାର ଲୋକଙ୍କ ଅଭିଯୋଗକ୍ରମେ କୁଣ୍ଢେଇଗୋଳା ଥାନା ପୁଲିସ ପ୍ରତାରକ ପ୍ରେମିକକୁ ଗିରଫ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କୁଶକୁଲିଆ ଗ୍ରାମର ପରମାନନ୍ଦ ଗଡ଼ନାୟକଙ୍କ ପୁଅ ମନୋଜ ଗଡ଼ନାୟକ ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଏହି କ୍ରମରେ ଗତ ମଙ୍ଗଳବାର ଦିନ ନାବାଳିକା ଜଣକ ପ୍ରେମିକ ମନୋଜକୁ ବିବାହ ପାଇଁ ଫୋନ ଯୋଗେ କଥାବାର୍ତ୍ତା ବେଳେ କହିବାରୁ ମନୋଜ ନାବାଳିକାକୁ ବିବାହ ପାଇଁ ରୋକଠୋକ ମନା କରିଦେଇଥିଲେ। ଫଳରେ ନାବାଳିକା ଜଣକ ମାନସିକ ଭାବେ ଭାଙ୍ଗି ପଡି ବୁଧବାର ଦିନ ସକାଳେ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ନାବାଳିକାକୁ ଚିକିତ୍ସା ନିମନ୍ତେ କଣିହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ନାବାଳିକାଙ୍କ ମାମୁଁ ଅଭିଯୁକ୍ତ ମନୋଜ ଘରକୁ ଯାଇ ଘଟଣା ସମ୍ପର୍କରେ କହିବାରୁ ମନୋଜ ଉତ୍ୟକ୍ତ ହୋଇ ମାମୁଁ’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ସ୍କୁଟିକୁ ଭାଙ୍ଗି ଦେଇଥିଲା। ନାବାଳିକା ଜଣକ ସୁସ୍ଥ ହୋଇ ଗତକାଲି ଘରକୁ ଫେରିବା ପରେ ନାବାଳିକାଙ୍କ ପିତାଙ୍କ ଅଭିଯୋଗକ୍ରମେ କୁଣ୍ଢେଇଗୋଳା ଥାନା ପୁଲିସ ଅଭିଯୁକ୍ତ ପ୍ରତାରକ ପ୍ରେମିକ ମନୋଜ ବିରୋଧରେ ଦୁଷ୍କର୍ମ ଓ ପୋକ୍ସ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ମନୋଜକୁ ଆଜି ଗିରଫ କରିଥିବା ଜଣାପଡିଛି।