ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶୀତଦିନେ ବହୁ ବିଦେଶୀ ପକ୍ଷୀ ଆମ ଦେଶର ବିଭିନ୍ନ ଜଳାଶୟକୁ ଆସନ୍ତି। ସେଥିମଧ୍ୟରେ ଇବ ଓ ଭେଡେନ ନଦୀର ପଛୁଆ ପାଣିରେ ଝାରସୁଗୁଡ଼ା ବ୍ଲକ ଜମେରା ପଞ୍ଚାୟତ ସିହଂବଗା ଗ୍ରାମରେ ତିଆରି ହୋଇଥିବା ଜଳରାଶି ଅନ୍ୟତମ। ସିଂହବଗା ଝାରସୁଗୁଡ଼ାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରତିବର୍ଷ ଶୀତଦିନେ ଏହି ସ୍ଥାନକୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ତଥା ଦେଶୀ ପକ୍ଷୀ ଆସିଥାନ୍ତି। ଲିଜର ହ୍ୱିସଲିଂ, କମନ ପେଚାର୍ଡ. ଡକ୍, ଟପଟେଡ ଡକ୍, ଗ୍ରେଡକ୍ରେଷ୍ଟେଡ଼୍, ଗ୍ରେବ୍, କମନ୍ କୋର୍ଟ, ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍ ଓ ୱାଟର ହେନ୍ ପ୍ରଭୃତି ବିଭିନ୍ନ ପ୍ରଜାତୀର ପକ୍ଷୀ ଏଠାକୁ ନିୟମିତ ଆସୁଥିବାବେଳେ ଚଳିତ ବର୍ଷ ୨ଟି ନୂତନ ପ୍ରଜାତିର ପକ୍ଷୀ ଆସିଛନ୍ତି ବୋଲି ସ୍ଥାନୀୟ ଲୋକେ ଓ ପରିବେଶବିତମାନେ କହିଛନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲା ଏଲଏନସି ଶିଳ୍ପ ପ୍ରତିଷ୍ଠା ପାଇଁ ତିଆରି ହେବାକୁ ଥିବା ରେଳ ଧାରଣା ଏହି ସିଂହଗବାର ଜଳାଶୟ, ଜଳ ଓ ଏଠାକୁ ଆସୁଥିବା ପକ୍ଷୀଙ୍କ ସମ୍ମୁଖରେ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି। ଏଥିପାଇଁ ସରକାରୀ ସ୍ତରରେ କମ୍ପାନୀକୁ ଅନୁମତି ମଧ୍ୟ ମିଳିସାରିଛି। ଫଳରେ ଏନଏଲସି କମ୍ପାନୀ ଏବେ ଏଠାରେ ଜମି ଅଧିଗ୍ରହଣ କରିବାରେ ଲାଗିଛି ତେବେ ଏଠାରେ ଜମି ଅଧିଗ୍ରହଣ ହେଲେ ଜଳାଶୟକୁ ପୋତି ରେଳ ଧାରଣା ତିଆରି କରିବ। ଫଳରେ ଏଠାରେ ଇବ ଓ ଭେଡେନ ନଦୀର ପଛୁଆ ପାଣି, ସୁନ୍ଦର ପ୍ରାକୃତିକ ପରିବେଶ, ବିଦେଶୀ ପକ୍ଷୀଙ୍କ ଆଗମନ ଓ କଳରାବ ଆଖି ପିଛୁଳାକେ ଶେଷ ହୋଇଯିବ ବୋଲି ପରିବେଶବିତମାନେ କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପକ୍ଷୀଙ୍କର ଏହି ସ୍ୱର୍ଗକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକଙ୍କ ସହ ଅଞ୍ଚଳର ପକ୍ଷୀପ୍ରେମୀ ଓ ପରିବେଶବିତମାନେ ଦାବି କରିଛନ୍ତି।