ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଟିକାକରଣ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇତିମଧ୍ୟରେ ଦିଲ୍ଲୀ ସରକାର ପ୍ରଥମ ପର୍ଯ୍ୟାୟରେ ଭ୍ୟାକ୍ସିନ ଦିଆଯିବାକୁ ଥିବା ଫ୍ରଣ୍ଟଲାଇନ ୱାର୍କର୍ସ ଶ୍ରେଣୀରେ ବିଦ୍ୟୁତ ଓ ଜଳ ବିଭାଗକୁ ମଧ୍ୟ ସାମିଲ କରବାକୁ ଆଦେଶ ଜାରି କରିଛନ୍ତି।
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଲକଡାଉନ ସମୟରେ ଜଳ ଓ ବିଦ୍ୟୁତ ବିଭାଗର କର୍ମଚାରୀ ଡ୍ୟୁଟିରେ ଥିଲେ। ସେଥିପାଇଁ ସେମାନଙ୍କୁ ଆଗଧାଡ଼ିରେ ରଖାଯାଇଛି। ଏଥିସହିତ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୬୧୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତଥାପି ମୁଁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିବି। ଦିଲ୍ଲୀ ସରକାର ଜାରି କରିଥିବା ମାସ୍କ ଅଭିଯାନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ବୋଲି ଶ୍ରୀ ଜୈନ କହିଛନ୍ତି।