କଟକ ସିଡିଏ ସେକ୍ଟର ୭ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକରେ କରୋନା ଟିକାକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକା ଦିଆଯାଉ ନଥିବାରୁ ତାତିଲେ ଲୋକେ। ଟିକା ପାଇଁ ଆସିଥିବା ଲୋକେ ପ୍ରବଳ ପାଟିତୁଣ୍ଡ ଓ ହୋହାଲ୍ଲା କରିଛନ୍ତି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସିଡିଏ ସେକ୍ଟର ୭ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଟିକା ନେବା ପାଇଁ ଆସିଥିବା ଲୋକଙ୍କୁ ନଦେଇ ବାହାରକୁ ଟିକା ସପ୍ଳାୟ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ। ଉତ୍ତ୍ୟକ୍ତ ଲୋକେ ଟିକା ନେଇ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଇଛନ୍ତି।

ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ଟିକା ନଦେଇ କାହିଁକି ଟିକା ଅଲଗା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଲୋକେ। ଟିକା ନେବା ପାଇଁ ଲୋକେ ସକାଳ ୮ଟାରୁ ଆସି ଜଗିଥିବା ବେଳେ ଏଯାଏଁ ଟିକାକରଣ ହୋଇପାରିନାହିଁ।

ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ସପ୍ଲାୟ ହେଉଥିବା ଟିକାକୁ ମେଡିକାଲରେ ରଖାଯାଇଛି। ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଟିକା ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛି ପୁଲିସ। ଅନ୍ୟପଟେ କଟକ ଜିଲ୍ଲାରେ କରୋନା କାୟା ବିସ୍ତାର କରିସାରିଲାଣି। ଦୈନିକ ସଂକ୍ରମଣ ବଢୁଛି। ଆଜି କଟକରୁ ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।