ବିଳମ୍ବ ହୋଇପାରେ ୧୮-୪୪ ବର୍ଷୀୟ ବ୍ୟକ୍ତିଙ୍କ ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟରେ ଟିକାକରଣ ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରେ ଏନେଇ ଆଶଙ୍କା ଦେଖାଦେଇଛି। ବିଳମ୍ବ ହୋଇପାରେ ୧୮-୪୪ ବର୍ଷୀୟ ବ୍ୟକ୍ତିଙ୍କ ଟିକାକରଣ। ଏହି ଆଶଙ୍କା ପ୍ରକାଶ କରିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ ରହିଛି। ମେ’ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ। କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ। ଟିକା ଉପଲବ୍ଧ ହେବାପରେ ଟିକା ଦିଆଯିବ। ଏଥିସହିତ ସେ କହିଛନ୍ତି କି ଆସନ୍ତା କାଲିଠୁ ଟିକା କରଣ ପାଇଁ ଅନଲାଇନରେ ବୁକିଂ କରିପାରିବେ କିନ୍ତୁ ବର୍ତ୍ତମାନ ସ୍ଲଟ ମିଳିବ ନାହିଁ। ଯେବେ ଟିକା ଉପଲବ୍ଧ ହେବ ପୋର୍ଟାଲ ଜରିଆରେ ସ୍ଲଟ ଦିଆଯିବ।

ବର୍ତ୍ତମାନ ଯେତିକି ଟିକା ଅଛି ତାହା ମାତ୍ର ୨-୩ ଦିନ ଚାଲିବ। ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କେଭାକ୍ସିନ ଟିକା ମହଜୁଦ ଅଛି।