ଠିକପାଲି ପଞ୍ଚାୟତରେ ଭୁତ ଖାଉଛି ଚାଉଳ

ନୂଆପଡା,ଏନଏନଏସ: କୋମନା ବ୍ଲକ ଅନର୍ଗତ ହରିଜନ ଆଦିବାସୀ ବହୁଳ ଠିକପାଲି ପଞ୍ଚାୟତରେ ଦୀର୍ଘ ମାସରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମରେ ପିଡ଼ିଏସ ଚାଉଳ ବଣ୍ଟନ ଦର୍ଶାଇ ଚାଉଳ ଆତ୍ମସାତ କରୁଥିବା ଗୁରୁତର ଅଭିଯୋଗ ହେଉଛି। ଜନସାଧରଣରେ ବ୍ୟଙ୍ଗରେ ଭୁତ ଖାଉଛି ଚାଉଳ ବୋଲି ପରିହାସ କରାଯାଉଛି। ଏ ପଞ୍ଚାୟତ ଅନ୍ତର୍ଗତ ବାବୁପାଲି ଗ୍ରାମର ବେଣୁଧର ଜଗତ, ନିତ୍ୟା ଶବର, ତ୍ରିନାଥ ନାଏକ ଓ ରଘୁନାଥ ଶବର ଦୀର୍ଘ ପାଞ୍ଚ ମାସରୁ ଊର୍ଦ୍ଧ୍ବ ହେବ ମୃତ୍ୟୁବରଣ କରିସାରିଛନ୍ତି ହେଲେ ଉକ୍ତ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ଚାଉଳ ଉଠାଇ ହରିଲୁଟ ଚାଲିଛି। ଉକ୍ତ ପଞ୍ଚାୟତର ଏହା ଏକ ଉଦାହରଣ ମାତ୍ର ଏଭଳି ସଂଖ୍ୟାଧିକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଣ କରି ପଞ୍ଚାୟତ କର୍ମଚାରି ଆତ୍ମସାତ କରୁଥିବା ତଥା ପଞ୍ଚାୟତର ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଗୁରୁତର ଅଭିଯୋଗ ହେଉଛି।

ସୂଚନା ଯୋଗ୍ୟ ଯେ ଏଭଳି ଅଭିଯୋଗ କୋମନା ବ୍ଲକ ଅଗ୍ରେନ ପଞ୍ଚାୟତରେ ମଧ୍ୟ ହୋଇଛି, ହେଲେ ତଦନ୍ତରେ ଶିଥିଲତା ଯୋଗୁଁ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସାହସ ପାଇ ଏଭଳି ଦୁର୍ନୀତି କରିଚାଲିଛନ୍ତି। ଜିଲ୍ଲା ର ଏହା ଏକ ଉଦାହରଣ ମାତ୍ର ଏଭଳି ଅନେକ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ଚାଉଳ ଆତ୍ମସାତ କରୁଥିବା ସୂଚନା ମିଳିଛି। ଏହାର ଜିଲ୍ଲାସ୍ତରୀୟ ଓ ଭିଜିଲାନ୍ସ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧରଣରେ ଦାବି ହେଉଛି।

ଆମେ ଏନେଇ କୋମନ ବ୍ଲକ ଏମଆଇ ଦିଲୀପ ନାୟକଙ୍କୁ ପଚାରିବାରୁ ସେମାନେ ଚାଉଳ ପାଉଛନ୍ତି ବୋଲି କହିଥିବାବେଲେ ସତ୍ୟତା ଏହି ଯେ ଚାଉଳ କିଏ ଖାଉଛି ଯୋଗାଣ ସହାୟକ ନା ଆଉ କିଏ ଖାଉଛି ତାହା ବିଭାଗୀୟ ଅଧିକାରୀ ମାନେ ଅଧିକରୁ ଅଧିକ ତଦନ୍ତ କରିଲେ ସତ୍ୟତା ଜଣାପଡିବ। ଏଭଲି କୋମନା ବିଡ଼ିଓ ସଦାଶିବ ଭଦ୍ରା ଙ୍କୁ ଏନେଇ ପଚାରିବାରୁ ମୁଁ ତଦନ୍ତ କରିବି ବୋଲି କହିଛନ୍ତି।