ଆକାଶ ମାର୍ଗରୁ ମାଲକାନଗିରି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ୭ ଦିନ ମଧ୍ୟରେ ଅଞ୍ଚଳ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମାଲକାନଗିରି ଜିିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବାର ୪୮ ଘଣ୍ଟା ପରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀନ ଜେନା ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ମାଲକାନଗିରିର ୯୩୩ ଗାଁ ପ୍ରଭାବିତ ହୋଇଛି। ଏଥିରେ ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୨୧ଟି ଘର ଭାଙ୍ଗିଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଆସନ୍ତାକାଲି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।