ମାଟ୍ରିକ ପରୀକ୍ଷାରେ ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ଡିଏମଏଫ ତରଫରୁ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର,ଏନ୍ଏନ୍ଏସ୍: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଡିଏମଏଫ ତରଫରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଦରବାର ହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବ ଘୋଷଣା ମୁତାବକ ଡିଏମଏଫ ତରଫରୁ ୯୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ବାର୍ଷିକ ୪୦ ହଜାର, ୮୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ୨୫ ହଜାର, ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବରଧାରୀ ପିଲାଙ୍କୁ ୧୫ ହଜାର ଓ ୬୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଏହି କ୍ରମରେ ମଙ୍ଗଳବାର ଏ୧ ପାଇଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ବୃତ୍ତି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏମଏଫ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ପିଡି ଡିଆରଡିଏ ଡା. ଉଦ୍ଧବ ଚରଣ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଅତିଥିରୂପେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।