ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଥାନା ଅନ୍ତର୍ଗତ ତିଲିଆ ସାପ୍ତାହିକ ବଜାର ନିକଟରେ ଜଣେ ଯୁବକର ଗଳିତ ଶବକୁ କୁମ୍ଭାରବନ୍ଧ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ତିଲିଆ ଗ୍ରାମର ଚନ୍ଦ୍ରକାନ୍ତ ପଧାନ(୪୯) ବୋଲି ଜଣାପଡ଼ିଛି। ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ ମେହେର, କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ଲକ୍ଷ୍ମୀନ୍ଦର ପାତ୍ର, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଓ ସାଇଣ୍ଟିଫିକ ଦଳର ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପାଠାଯାଇଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଗତ ୬ ତାରିଖ ରାତିରେ ପରିବାର ଲୋକେ ଶୋଇଥିବାବେଳେ ଚନ୍ଦ୍ରକାନ୍ତ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ। ୭ ତାରିଖ ସକାଳୁ ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ବନହରପାଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବନହରପାଲି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଗତକାଲି ଗ୍ରାମର ସାପ୍ତାହିକ ବଜାର ନିକଟରେ ପଚା ଗନ୍ଧ ଆସୁଥିବାରୁ ଲୋକେ ଉକ୍ତ ସ୍ଥାନକୁ ଯାଇ ଦେଖିଲା ବେଳକୁ ଏକ ଗଛ ତଳେ ଚନ୍ଦ୍ରକାନ୍ତଙ୍କର ଗଳିତ ଶବ ପଡ଼ିଛି। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବା ପରେ ଶବ ଚିହ୍ନଟ କରାଯାଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବରପାଇ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସମୟରେ ପରିବାର ଲୋକେ ଶବକୁ ଉଠାଇବା ପାଇଁ ବାରଣ କରିଥିଲେ। ମୃତ ଚନ୍ଦ୍ରକାନ୍ତଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଅଶ୍ଳିଳ ଭାଷାରେ ଗାଳିି ଗୁଳଜ କରିଥିବାରୁ ସେ ମାନସିକ ଚାପଗ୍ରସ୍ତ ହୋଇ ଘରୁ କୁଆଡ଼େ ଚାଲି ଯାଇଥିଲେ। ଆଉ ୪ଦିନ ପରେ ଚନ୍ଦ୍ରକାନ୍ତଙ୍କ ଗଳିତ ଶବ ଉଦ୍ଧାର ହୋଇଥିବାରୁ ତାଙ୍କ ମୃତ୍ୟୁ ପାଇଁ ଅଶ୍ଳିଳ ଭାଷାରେ ଗାଳିି ଗୁଳଜ କରିଥିବା ବ୍ୟକ୍ତି ହିଁ ଦାୟୀ ବୋଲି ପରିବାର ଲୋକେ କହିଥିଲେ। ତେଣୁ ଚନ୍ଦ୍ରକାନ୍ତଙ୍କୁ ଅଶ୍ଳିଳ ଭାଷାରେ ଗାଳିି ଗୁଳଜ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରୁ ବୋଲି ଚନ୍ଦ୍ରକାନ୍ତଙ୍କ ପରିବାର ଲୋକେ ଦାବି କରିଥିଲେ। ଫଳରେ ଘଟଣାସ୍ଥଳରେ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ ମେହେର ପହଞ୍ଚି ବୁଝାସୁଝା କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହାସହ ପୁଲିସ ଚନ୍ଦ୍ରକାନ୍ତଙ୍କ ପରିବାରଲୋକଙ୍କ ଅଭିଯୋଗ ମୁତାବକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।