ଓଡିଶା ବନ୍ୟା ପ୍ରପୀଡିତଙ୍କ ପାଇଁ ଦିଲ୍ଲୀରୁ ପଠାଗଲା ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ/ଭୂବନେଶ୍ୱର,ଏନ୍ଏନ୍ଏସ୍: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ ଓଡିଶାରେ ବନ୍ୟା ପ୍ରପୀଡିତଙ୍କ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛି।

ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଆସୁଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ପଦ୍ମ ଫୁଲ ଅର୍ପଣ କରି ପ୍ରାର୍ଥନା କରିବା ସହ ସମସ୍ତଙ୍କ ଶୁଭକାମନା କରିଥିଲେ। ଏହା ପରେ ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷ ବନ୍ୟା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲା ବ୍ୟାପକ ଜଳମଗ୍ନ ହୋଇଥିବାରୁ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ବନ୍ୟା କାରଣରୁ ପୁରୀ ଜିଲ୍ଲା ଡେଲାଙ୍ଗ ଏବଂ କଣାସ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସ୍ଥାନୀୟ ବାସିନ୍ଦାମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏହି ଟ୍ରକରେ ଆସୁଥିବା ରିଲିଫ ସାମଗ୍ରୀଗୁଡିକୁ ଡେଲାଙ୍ଗ ଓ କଣାସ ବ୍ଲକର ୭୦ଟି ଗ୍ରାମରେ ବଣ୍ଟନ କରାଯିବ। ଏନେଇ ରାଜ୍ୟ ବିଜେପି ତରଫରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।