ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ଧରପଗଡ: ୪ ଦିନରେ ୬୬୫୦ ଲିଟର ପୋଚ ଓ ୧୧୨୬ ଲିଟର ଦେଶୀମଦ ଜବତ, ୩ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ବେଆଇନ ଭାବେ ବୃଦ୍ଧି ପାଉଥିବା ଚୋରା ଦେଶୀ ମଦ କାରବାରକୁ ରୋକିବାକୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ରାୟଗଡ଼ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶରେ ଅବକାରୀ ଅଧିକାରୀ ଓ ଷ୍ଟାଫମାନଙ୍କ ଦ୍ୱାରା ଦୁର୍ଗମ ଅଞ୍ଚଳ ସହ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକରେ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚୋରାରେ ବିକ୍ରି କରାଯାଉଥିବା ଦେଶୀ ମଦ କାରବାରକୁ ବନ୍ଦ କରିବା ପାଇଁ ଧରପଗଡ଼ କରାଯାଇ ବିପୁଳ ପରିମାଣର ମହୁଲ ପୋଚ, ଦେଶୀ ରନ୍ଧା ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି।

ସେହିପରି ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ୪ ଦିନ ମଧ୍ୟରେ ଗୁଡାରୀ, ଆମ୍ବଦଳା, ଚାନ୍ଦିଲି ଓ ରାୟଗଡ଼ା ଥାନା ଅଞ୍ଚଳରେ ଅବକାରୀ ଚଢଉ କରାଯାଇ ୬୬୫୦ ଲିଟର ମହୁଲ ପୋଚ ସହ ୧୧୨୬ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।