କୃଷି ବିଲକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ସମାବେଶ

ଖୋର୍ଦ୍ଧା,ଏନ୍ଏନ୍ଏସ୍: କେନ୍ଦ୍ରରେ ପାସ ହୋଇଥିବା କୃଷି ବିଲକୁ ସାରା ଦେଶର ଚାଷୀ ବିରୋଧ କରୁଥିବାବେଳେ ଓଡିଶାରେ ମଧ୍ୟ ବିରୋଧ କରାଯାଇଛି। ଏନେଇ କିଛିଦିନ ତଳେ ପ୍ରଦେଶ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ କୃଷି ସମାବେଶ ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଖୋର୍ଦ୍ଧାରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଏବଂ ଚାଷୀ ସେମାନଙ୍କ ଟ୍ରାକ୍ଟର ଓ ହଳଲଙ୍ଗଳ ଧରି ଅଭିନବ ଉପାୟରେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। କୃଷି ବିଲ୍ ଆଇନର ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି କୃଷି ବିଲ୍ ପାରିତ ହେବା ଦ୍ୱାରା କୃଷକମାନେ କେତେ ଯେ ହଇରାଣ ହରକତ ହେବେ ବୋଲି ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଓଡିଶାରେ କଂଗ୍ରେସ ସରକାର ସମୟରେ ଚାଷୀମାନଙ୍କର ଅଭୂତପୂର୍ବ ଉନ୍ନତି ହୋଇଥିଲା। କୃଷି ଶିଳ୍ପ ସାଙ୍ଗକୁ ଜଳସେଚନ ବ୍ୟବସ୍ଥାକୁ ମଜଭୁତ କରାଯାଇଥିଲା। ଦୀର୍ଘ ୨୧ ବର୍ଷ ଧରି ଏଠାରେ ଶାସନ କରୁଥିବା ନବୀନ ସରକାର ଚାଷୀ ତଥା କୃଷି କ୍ଷେତ୍ରକୁ ଅବହେଳା କରିଛନ୍ତି। ଏହି ଚାଷୀବିଲ୍ ପାରିତ ହେବା ପରେ ଚାଷୀମାନେ ତାଙ୍କ ଖାଦ୍ୟଶସ୍ୟର ଉପଯୁକ୍ତ ମୂଲ୍ୟ ନ ପାଇବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ତ୍ତମାନ ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ରାଜ୍ୟରେ କରୋନା ମହାମାରୀ ସଂକଟ ବର୍ତ୍ତମାନ ସୁଦ୍ଧା ଟଳିନଥିବାବେଳେ ସାଧାରଣ ଲୋକଟିଏ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଢ଼ିବା ତାଙ୍କ ଉପରେ ବୋଝ ଉପରେ ଲଳିତାବିଡା ସଦୃଶ ହୋଇଛି। ତେଣୁ ଏହି କଳା କୃଷି ବିଲ୍ ଆଇନକୁ ସମସ୍ତ ଜନସାଧାରଣ ବିରୋଧ କରିବା ଉଚିତ୍ ବୋଲି ଶ୍ରୀ ରାଉତରାୟ ତାଙ୍କ ଉଦବୋଧନରେ କହିଥିଲେ।

ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶୁଭେନ୍ଦୁ ମହାନ୍ତି, ପ୍ରଦୀପ ସ୍ୱାଇଁ, ପ୍ରଦୀପ ସାହୁ, ଶିଶିର ପରିଡା, ସଂଗ୍ରାମ ରାଉତରାୟ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।