ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ; ୨ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଥାନା ଅନ୍ତର୍ଗତ କାଚେଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ସମ୍ପୃକ୍ତ ଗ୍ରାମର ଗୋଟିଏ ପରିବାର ୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଭଉଣୀ ଓ ଜଣେ ଭାଇର ମୃତ୍ୟୁ ହୋଇଛି। ଗତକାଲି ଗ୍ରାମର ପାଣ୍ଡ୍ରୁ ମାଡ଼ିଙ୍କ ପରିବାର ଜଙ୍ଗଲର ସରଗେଇ କନ୍ଦ ଓ ବେଣ୍ଡାଶାଗ ତେନ୍ତୁଳି ତରକାରୀ ଖାଇବା ପରେ ରାତ୍ରିରେ ପରିବାରର ୫ ଜଣଙ୍କର ଦେହ ଅସୁସ୍ଥ ହୋଇଯାଇଥିଲା। ଏନେଇ ସେମାନେ ଡାକ୍ତରଖାନା ନଯାଇ ଗୁଣିଆ ଚିକିତ୍ସା କରାଇବାକୁ ଯାଇଥିଲେ। ପରେ ସେଠାରେ ବଡ଼ ଝିଅ ସୁକାନ୍ତି ମାଡ଼ି(୧୨) ଓ ପୁତ୍ର ସୀତାରାମ ମାଡ଼ି(୭)ଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଅବସ୍ଥାରେ ମା’ ଭୀମେ ମାଡ଼ି(୪୦), ଝିଅ ଅଞ୍ଜଳି ମାଡ଼ି(୫) ଓ ମାଳତୀ ମାଡ଼ି(୩)ଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଳୟରେ ଅଞ୍ଜଳିର ମୃତ୍ୟୁ ଘଟିଥିବାବେଳେ ସୁସ୍ଥ ହେବା ପରେ ମାଆ ଭୀମେ ଘରକୁ ଫେରିଛନ୍ତି। ସେହିପରି ଅନ୍ୟ ଝିଅ ମାଳତୀ ବର୍ତ୍ତମାନ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଖବରପାଇ ଗ୍ରାମରେ ଡାକ୍ତରୀ ଦଳ ପହଞ୍ଚି ପରିବାର ଅନ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ମାଲକାନଗିରି ଥାନା ପୁଲିସ ସେଠାରେ ପହଞ୍ଚି ପରିବାରବର୍ଗଙ୍କ ସହିତ ଆଲୋଚନା କରିବା ସହ ଖାଦ୍ୟ ସାମଗ୍ରୀର ଅନୁସନ୍ଧାନ କରୁଛନ୍ତି। ସେହିପରି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।