ସୀମାନ୍ତରେ ସ୍ଥିତିର ଅନୁଧ୍ୟାନ କଲେ ରାୟଗଡା ଜିଲ୍ଲାପାଳ, ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ

ରାୟଗଡା,ଏନ୍ଏନ୍ଏସ୍: ସୀମାରେ ଅନୁପ୍ରବେଶ ଯୋଗୁଁ ରାୟଗଡା ଜିଲ୍ଲାରେ ସଂକ୍ରମଣ ଧୀରେଧୀରେ ବଢୁଛି। ଏଣୁ ସୀମାନ୍ତରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ପାଇଁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡା ଚେକ୍ ପଏଣ୍ଟ ଗସ୍ତ କରି ସୀମାରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରବେଶ ବେଳେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଲୋକମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆନ୍ଧ୍ରରୁ ଆସୁଥିବା ଯାତ୍ରୀମାନଙ୍କ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ ସହ ସେମାନଙ୍କୁ ୧୪ ଦିନିଆ ସଂଗରୋଧ କେନ୍ଦ୍ରରେ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ସୀମା ଡେଇଁ ଆସୁଥିବା ଯାତ୍ରୀ ଓ ଡ୍ରାଇଭର ହେଲପରଙ୍କ ଉପରେ କଡା ନଜର ରଖିବା ସହ ତୁଣ୍ଡି ପରିଧାନ, ସାମାଜିକ ଦୂରତା ଓ ସାବୁନରେ ହାତ ଧୁଆ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଶେଷ କରି ରାୟଗଡା ସଦର ବ୍ଲକର ଅନେକ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଥିବା ବେଳେ ଆନ୍ଧ୍ରର ଲୋକେ ଓ ଛୋଟ ଛୋଟ ବେପାରୀମାନେ ଓଡିଶା ଗାଁ’ମାନଙ୍କରେ ଅବାଧ ପ୍ରବେଶ କରୁଛନ୍ତି। ରାୟଗଡା ସଦର ବ୍ଲକର କିଛି ସ୍ଥାନରେ ଚେକ୍ ପଏଣ୍ଟ ନିର୍ମାଣ କରାଯାଇଥିଲେ ହେଁ ଲୋକେ ଗଳାବାଟରେ ବ୍ୟବସାୟ ଓ ସାମାଜିକ ସଂପର୍କ ରକ୍ଷା କରି ଆସୁଛନ୍ତି। ଏଣୁ ଏମାନଙ୍କ ଉପରେ କିପରି ରୋକ ଲଗାଯାଇପାରିବ ସେନେଇ ଯତ୍ନବାନ ହେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ରାଜେନ୍ଦ୍ର ମାଝୀ, ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।