ମିଲର ଆସୋସିଏସନ ତରଫରୁ ରିଲିଫ୍ ଗାଡ଼ି ଉଦଘାଟନ

ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ବିଶେଷ କରି ଗରିବ ପରିବାର ଏହି ମହାମାରୀ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ସମାଜସେବୀ ସହଯୋଗର ହାତ ବଢାଇ ଅସହାୟମାନଙ୍କୁ ସହାୟତା କରିଥିଲେ। ଏହି ପରିପ୍ରେକ୍ଷୀରେ ମିଲର ଆସୋସିଏସନ ତରଫରୁ ରାୟଗଡା ଜିଲ୍ଲାର ୧୧ଟି ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ୫ ହଜାର ଗରିବ ପରିବାରବର୍ଗଙ୍କୁ ସହାୟତା ପ୍ରଦାନ କରାଯିବ। ଏନେଇ ଆସୋସିଏସନର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଆସୋସିଏସନ ତରଫରୁ କରୋନା ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୁଗ୍ମ ଭାବେ ସବୁଜ ପତାକା ଦେଖାଇ କରୋନା ରିଲିଫ ଗାଡିର ଉଦଘାଟନ କରିଥିଲେ। ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଇଲାକା ଗୁଡିକ ଭ୍ରମଣକରି ମିଲର ଆସୋସିଏସନ ତରଫରୁ ଗରିବ ତଥା ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ। ଚାଉଳ, ତେଲ, ଡାଲି, ମାଣ୍ଡିଆ, ଆଳୁ, ପିଆଜ, ସାବୁନ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯିବ। ମିଲର୍ସ ଆସୋସିଏସନର ସଭାପତି କାଶି ନାଇଡୁ, ସମ୍ପାଦକ ସିମାଦ୍ରୀ ସୁମନ ପାତ୍ର, ଉପ-ସଭାପତି ଗୌରୀ ଶଙ୍କର ସେନାପତି, ସହ-ସମ୍ପାଦକ ମୀନାକ୍ଷୀ ସାହୁ, କୋଷାଧ୍ୟକ୍ଷ କେ.ଶ୍ରୀଧରଙ୍କ ସହ କିନ୍ତାଲି ଅମରନାଥ, ଦେବାଶିଷ ବକ୍ସିପାତ୍ର, ଏନ୍ ଶ୍ରୀନିବାସ ରାଓ, ନରେଶ କୁମୁନ୍ଦନ, ବି.ରବି କୁମାର, ଲାଡି ଶ୍ରୀଧର, ଆନନ୍ଦ ରାଓ  ପ୍ରମୁଖ ଉପସ୍ଥିତ ଥିଲେ।