ପୁରୀ ଜିଲ୍ଲାରେ ୪ଟି ନର୍ମାଣାଧୀନ ସେତୁର ଅଗ୍ରଗତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲାରେ ନିର୍ମାଣାଧୀନ ୪ଟି ସେତୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭାର୍ଗବୀ ନଦୀ ଉପରେ ବାଲିକେରା-ତିନିକୁଦ ସେତୁ, ଭାର୍ଗବୀ ନଦୀ ଉପରେ ପଥରପଦା-କପିଳେଶ୍ୱରପୁର ପଞ୍ଚାୟତ ସେତୁ, ଦୟାନଦୀ ଉପରେ ସୌରିଆ-ଯୋରକଣା ସେତୁ, ଭାର୍ଗବୀ ନଦୀ ଉପରେ କାଞ୍ଚି ସେତୁର ନିର୍ମାଣ କାର୍ଯ୍ୟ ବହୁବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିଲା । ଏହି ଚାରୋଟି ସେତୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, ପୁରୀ ନିର୍ବାଚନମଣ୍ଡଳୀ, ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କର ଦୀର୍ଘଦିନର ସମସ୍ୟା ହୋଇରହିଥିଲା। ବାରମ୍ବାର ବିଭାଗୀୟ ନିର୍ଦ୍ଦେଶ ସତ୍ତେ୍ୱ ଏହି ଅର୍ଦ୍ଧନିର୍ମିତ ସେତୁଗୁଡ଼ିକ ଦୀର୍ଘଦିନରୁ ଟେଣ୍ଡର ଆହ୍ୱାନ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁଁ ଗମନାଗମନରେ ଜନସାଧାରଣ ବହୁ ସମସ୍ୟାକୁ ଦୀର୍ଘଦିନ ଧରି ସମ୍ମୁଖୀନ ହେଉଥିଲେ । ଆଜି ଲୋକସେବା ଭବନଠାରେ ଏକ ବୈଠକ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏହି ଚାରୋଟି ସେତୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି ସେତୁଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଉନ୍ନୟନ କମିଶନର ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହିତ ମଧ୍ୟ ଆଜି ଲୋକସେବା ଭବନଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଆଲୋଚନା କରିଥିଲେ । ଏହି ନିର୍ମାଣାଧୀନ ସେତୁ ଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ପୁରୀ ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଯୋଜନା ଓ ସଂଯୋଜନ ବିଭାଗ ଉପସଚିବ ଅଭୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।