ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀ

ରାୟଗଡ଼ା,ଏନ୍ଏନ୍ଏସ୍: ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ମେଡ଼ିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାବିନେଟ୍ ନିଷ୍ପତ୍ତି ପରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ ଲାଗି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିସିଡି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶୀଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ମୁନିସିପାଲ ହାଇସ୍କୁଲ ସହ ଅନ୍ୟାନ୍ୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ। ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଏହି ପଦକ୍ଷେପ ଐତିହାସିକ ବୋଲି ମତ ପ୍ରକାଶ ପାଇଥିଲା। ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ପୂର୍ବରୁ ଜେଇଇ/ମେନ୍ ପ୍ରବେଶିକା ପରୀକ୍ଷାରେ ସ୍ଥାନ ପାଇବା କଷ୍ଟକର ହୋଇ ପଡୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁ ଆର୍ôଥକ ସ୍ୱଚ୍ଛଳ ନ ଥିବା ଅଭିଭାବକଙ୍କ ପୁଅ ଝିଅ ଡାକ୍ତର, ଇଞ୍ଜିନିୟରିଂ ହେବାର ସ୍ୱପ୍ନକୁ ପୂରଣ କରିପାରିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମତ ପ୍ରକାଶ କରିଛନ୍ତି।