ବିଜେଡିରେ ଯୋଗଦେଲେ ମହିଳା ଆଇନଜୀବୀ

ରାୟଗଡ଼ା,ଏନ୍ଏନ୍ଏସ୍ : ବିଜେଡିର ପ୍ରତିଷ୍ଠା ଦିବସରେ ଦଳରେ ଯୋଗ ଦେଇଛନ୍ତି ମହିଳା ଆଇନଜୀବୀ ତଥା ସମାଜସେବୀ ଶୁଭ୍ରା ପଣ୍ଡା। ଶୁଭ୍ରାଙ୍କ ଯୋଗଦାନ ଆଗାମୀ ପୌର ନିର୍ବାଚନରେ ଦଳ ପାଇଁ ସହାୟକ ହେବା ସହ ୩ ନଂ ୱାର୍ଡରେ ଦଳୀୟ ସଂଗଠନ ବୃଦ୍ଧି କରିବ। ସେହିପରି ଯୁବ କ୍ରୀଡ଼ାବିତ୍ ଅନୀଲ ନାୟକଙ୍କ ନେତୃତ୍ୱରେ ଫିରୋଜ ପାତ୍ର, ଅକ୍ଷୟ ସାମଲଙ୍କ ଭଳି ୩୦ରୁ ଅଧିକ ଯୁବକ ଦଳରେ ଯୋଗ ଦେଇଥିଲେ। ୨୦ ନଂ ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବିଭିଷଣ ନାୟକ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିବାରୁ ସମସ୍ତ ନେତାଙ୍କ ଉପସ୍ଥିତିରେ ବୀଭିଷଣ ଏହାକୁ ଖଣ୍ଡନ କରିଥିଲେ।ବିଜେଡ଼ିରେ ଯୋଗ ଦେଇଥିବା ସମସ୍ତଙ୍କୁ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ପୂର୍ବତନ ପୌରାଧ୍ୟକ୍ଷ ନିରଞ୍ଜନ ବକ୍ସିପାତ୍ର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦେବାଶିଷ ଖାଡ଼ଙ୍ଗା, ଓଡ଼ିଶା ମୋ ପରିବାରର ଜିଲ୍ଲା ଆବାହକ ବିନାୟକ କର, ନଗର ବିଜେଡ଼ି ସଭାପତି ସତ୍ୟ ନାରାୟଣ ପାଢ଼ୀ, ବିଜେଡ଼ି ନେତା ସନ୍ତୋଷ ରଥ, ଅଶୋକ ପଣ୍ଡା ପ୍ରମୁଖ ସ୍ୱାଗତ ଜଣାଇଥିଲେ।