ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ମୁକାବିଲା ଦିଗରେ ସାଂସଦ ପାଣ୍ଠିରୁ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଥିବା ଟଙ୍କାରୁ ଆଜି ସୁଦ୍ଧା ଟଙ୍କାଏ ବି ଖର୍ଚ୍ଚ ହୋଇପାରି ନଥିବାନେଇ କ୍ଷୋଭ ପ୍ରକାଶ କରିଛନ୍ତି କୋରାପୁଟର ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା । ଦୀର୍ଘ ଦିନରୁ ଶ୍ରୀ ଉଲ୍ଲାକା ନିଜ ସାଂସଦୀୟ କ୍ଷେତ୍ର ରାୟଗଡ଼ା ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ । ହେଲେ ଆଜିଯାଏ ଜିଲ୍ଲା ପ୍ରଶାସନ ତରଫରୁ ପିପିଇ କିଟ୍ କିମ୍ବା ମାସ୍କ ଆଦି କିଣାବା ପାଇଁ ଉକ୍ତ ଟଙ୍କା ଖର୍ଚ୍ଚ କରାଯାଇ ନାହିଁ। ସାଂସଦ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ନିରୂପଣ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଥିଲେ। ଆଇସିୟୁ ଓ ଭେଣ୍ଟିଲେଟର ନଥିବାରୁ ରୋଗୀଙ୍କୁ କୋରାପୁଟ କିମ୍ବା ଗଜପତି ଜିଲ୍ଲାକୁ ପଠାଯାଇ ଚିକିତ୍ସା କରାଯାଉଥିବାବେଳେ କ୍ରିଟିକାଲ କେୟୋର ପାଇଁ ସାଂସଦ ପାଣ୍ଠିରୁ ଉକ୍ତ ଚିକିତ୍ସା ଉପକରଣ କ୍ରୟ ନକରି ପ୍ରଶାସନ ନିରବ ବସିଥିବାରୁ ଶ୍ରୀ ଉଲ୍ଲାକା ଅସନ୍ତୋଷ ପ୍ରକାଶ କରିଥିଲେ।
ଅନ୍ୟପକ୍ଷେ କୋଭିଡ ନିରୂପଣ କେନ୍ଦ୍ରରେ ପ୍ରତିଦିନ ମାତ୍ର ୮ଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଉଥିବାବେଳେ ରାପିଡ୍ ଟେଷ୍ଟିଂ (ଆରଟି ପିସିଆର) ଜରିଆରେ ରାୟଗଡ଼ାରେ ଦିନକୁ ୧୦୦ଜଣ ସନ୍ଧିଗ୍ଧଙ୍କ ନମୁନା ପରୀକ୍ଷା ନିମନ୍ତେ ଗୁରୁତ୍ୱ ଦେବାକୁ ଶ୍ରୀ ଉଲ୍ଲାକା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସହ ଆଲୋଚନା କରିଥିଲେ। ସାଂସଦ ପାଣ୍ଠିରୁ ତୁରନ୍ତ କରୋନା ଚିକିତ୍ସା ଉପକରଣ କ୍ରୟ କରିବା ପାଇଁ ସାଂସଦ ଏଠାରେ ଦାବି କରିବା ସହ ଓଏସଏମସିଏଲ (ରାଜ୍ୟ ଔଷଧ ନିଗମ) ପରିଚାଳନା ନିର୍ଦ୍ଦେଶିକା ଯାମିନି ଷଡ଼ଙ୍ଗୀଙ୍କୁ ପତ୍ର ଲେଖିଥିବା କହିଛନ୍ତି।