ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ରାସ୍ତାରେ ବଡ଼ବଡ଼ ଖାଲ ହୋଇ ଭ୍ରମ ସୃଷ୍ଟି କରୁଛି। ରାସ୍ତାର ମରାମତି କରାଯାଉ ନଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡା, ନୂଆସାହି, ଗଣେଶ ଛକ, ପୁରୁଣା ପୋଷ୍ଟ ଅଫିସ ଛକ, ରାଧାକୃଷ୍ଣ ମନ୍ଦିର ଛକ, ଆହ୍ଲାବାଦ ବ୍ୟାଙ୍କ୍ ସମ୍ମୁଖ ସ୍ୱତନ୍ତ୍ର ଉପକାରଗାର, ବିଏସ୍ଏନଏଲ୍ କାର୍ଯ୍ୟାଳୟ, ଓଲଟବର ଛକ ଠାରୁ ଖୋଦ୍ ଜିଲ୍ଲା ଏସପିଙ୍କ ବାସଭବନ ସଂଲଗ୍ନ ଜାତୀୟ ରାଜପଥ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଶୁଖିଲା ପାଗରେ ଧୂଳି ଓ ବର୍ଷା ଦିନରେ ଖାଲରେ ପାଣି ଜମିରହି ରହୁଛି।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜାତୀୟ ରାଜପଥର ମରାମତି ଶୀଘ୍ର କରିବାକୁ ଦାବି ହେଉଛି।