ଚିକିତ୍ସା ଅବହେଳାରୁ ଛାତ୍ର ମୃତ୍ୟୁ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ରାୟଗଡ଼ା,ଏନ୍ଏନ୍ଏସ୍ : ଚିକିତ୍ସା ଅବହେଳାରୁ ଛାତ୍ର ମୃତ୍ୟୁ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ରାୟଗଡ଼ା ସଦର ବ୍ଲକ୍ କୁମୁଟିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ହଳଦୀପଡା ଗ୍ରାମର ଦଶମ ଶ୍ରେଣୀ ଛାତ୍ର ସୀମାଞ୍ଚଳ ଗରଡିଆ (୧୬) ନିଜ ଘରେ କେହି ନ ଥିବା ସମୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଘର ଫ୍ୟାନରେ ଝୁଳୁଥିବା ଅବସ୍ଥାରେ ପରିବାର ଲୋକ ଗ୍ରାମବାସୀଙ୍କ ସହଯୋଗରେ ସୀମାଞ୍ଚଳକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସୀମାଞ୍ଚଳଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତର ମୃତ୍ୟୁ ଘୋଷଣାର କିଛି ସମୟ ପରେ ସୀମାଞ୍ଚଳର ଶ୍ୱାସ କ୍ରିୟା ଚାଲୁଥିବା ନେଇ ପୁଣି ସଂପର୍କୀୟମାନେ ଡାକ୍ତରଙ୍କୁ ଡାକିଥିଲେ। ତେବେ ଡ. ସୁରେଶ କୁମାର ଦେ ପୁଣି ଥରେ ସିମାଂଚଳର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସୀମାଂଚଳଙ୍କ ମୃତ୍ୟୁ ହୋଇଥିବା କହିଥିଲେ । କିନ୍ତୁ ଏଥିରେ ନମନୀୟ ଚିକିତ୍ସା ଅବହେଳା କରାଯିବାରୁ ହିଁ ସୀମାଂଚଳର ମୃତ୍ୟୁ ହୋଇଥିବା ସଂପର୍କୀୟ ଅଭିଯୋଗ କରିଥିଲେ।

ପରେ ସଂପର୍କୀୟମାନେ ଉତ୍ତେଜିତ ହୋଇ ମେଡ଼ିକାଲ୍ ଭିତରକୁ ଧସେଇ ପସି ମେଡ଼ିକାଲରେ ହୋ ହାଲ୍ଲା କରିବା ସହ ପୁଲିସକୁ ଶବ ବ୍ୟବଚ୍ଛେଦ କରିବାକୁ ଦେଇନଥିଲେ । ୩ ଘଣ୍ଟା ପୁଲିସ୍-ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ସହ ସଂପର୍କୀୟଙ୍କ ବଚସା ହେବା ପରେ ସନ୍ଧ୍ୟାରେ ମୃତ ଛାତ୍ରର ଶବ ବ୍ୟବଚ୍ଛେଦ ହୋଇ ପରିବାରକୁ ହସ୍ତାନ୍ତର କରିଛି ଚଣ୍ଡୀଳି ପୁଲିସ । ତେବେ ଏ ନେଇ ଚାନ୍ଦିଲି ଥାନା ଏସଆଇ ରାଜେଶ୍ୱର ଶବର ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।