ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କରୋନା ସମ୍ପର୍କିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିନାଶକାରୀ ହୋଇନାହିଁ । ଏଥିସହିତ ଆରୋଗ୍ୟ ହାର ମଧ୍ୟ ୫୦ ପ୍ରତିଶତରୁ ଊର୍ଦ୍ଧ ରହିଛି। ତପାପି ଆମକୁ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଆମର ସବୁ ପ୍ରୟାସ ବ୍ୟର୍ଥ ଚାଲିଯିବ। ଏଥିସହିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ମଧ୍ୟ ମାନିବା ଉଚିତ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, ଆମେ କରୋନାକୁ ରୋକିବାରେ ଯେତେ ସଫଳ ହେବୁ ଆମ ଅର୍ଥବ୍ୟବସ୍ଥା ମଧ୍ୟ ସେତେ ଖୋଲିବ। ଅଫିସ, ମାର୍କେଟ ଓ ଯାତାୟତର ସାଧନ ଖୋଲିବା ସହ ରୋଜଗାରର ନୂଆ ଅବସର ସୃଷ୍ଟି ହେବ। ଆମେ ଠିକ୍ ସମୟରେ ଠିକ୍ ପଦକ୍ଷେପ ଗ୍ରହଣ କରିଥିବା ଯୋଗୁ କରୋନାକୁ ରୋକିବାରେ ସଫଳ ହୋଇଛୁ। ପ୍ରତିଟି ଭାରତୀୟଙ୍କୁ ବଂଚାଇବା ପାଇଁ ଦିନରାତି ପରିଶ୍ରମ କରୁଛୁ। ଏହାଛଡ଼ା ଲକଡାଉନ ଓ ଭାରତୀୟଙ୍କ ଅନୁଶାସନକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି।