ରାୟଗଡ଼ା,ଏନ୍ଏନ୍ଏସ୍: ଡାକ୍ତରଙ୍କ ମୋବାଇଲ ଚୋରିକରି ହଟହଟା ହୋଇଛନ୍ତି ରୋଗୀ। ନିଜ ଭୁଲ ସ୍ୱୀକାର କରିବା ସହ ମୋବାଇଲକୁ ଫେରାଇବା ପରେ ମେଡିକାଲ ସିକ୍ୟୁରିଟି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଛାଡ଼ି ଦେଇଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ରାୟଗଡ଼ା ସହରର ଏକ ଦମ୍ପତି ଚିକିତ୍ସା ପାଇଁ ମେଡିକାଲକୁ ଆସିଥିଲେ। ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀକୁ ସ୍ତ୍ରୀ ଓ ପ୍ରସୂତି ବର୍ହିବିଭାଗରେ ଛାଡ଼ି ବାହାରେ ବୁଲୁଥିଲେ। ଏହି ସମୟରେ ଦନ୍ତ ବିଶେଷଜ୍ଞ ଡା. ଜ୍ଞାନରଞ୍ଜନ ମେହେର ରୋଗୀଙ୍କୁ ଅନ୍ୟଏକ ବିଭାଗରେ ଦେଖୁଥିଲେ। ରୋଗୀ ଦେଖି ଫେରିବା ସମୟରେ ଟେବୁଲ ଉପରେ ମୋବାଇଲ୍ ନଥିବା ଦେଖି ଖୋଜାଖୋଜି କରିଥିଲେ। କିନ୍ତୁ ନ ମିଳିବା ପରେ ଏ ସମ୍ପର୍କରେ ମେଡିକାଲ ସିକ୍ୟୁରିଟିକୁ ଅବଗତ କରିଥିଲେ। ସିକ୍ୟୁରିଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଚୋରି ସମୟର ଦୃଶ୍ୟକୁ ଦେଖି ସମ୍ପୃକ୍ତ ଦମ୍ପତିକୁ ଠାବ କରିଥିଲେ।
ଦମ୍ପତିଙ୍କ ନିକଟରୁ ଚୋରି ମୋବାଇଲ ଜବତପରେ ପୁଲିସକୁ ସୂଚନା ଦେବାପାଇଁ ଡାକ୍ତର କହିଥିଲେ। କିନ୍ତୁ ମୋବାଇଲ ଚୋରି କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଭୁଲ ସ୍ୱୀକାର କରିବାସହ ଛାଡ଼ି ଦେବାପାଇଁ ନେହୁରା ହୋଇଥିଲେ। କିଛିସମୟ ଧରି ମହିଳା ଜଣଙ୍କ କାନ୍ଦିବା ସହ ଭୁଲ ମାଗିବାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଦମ୍ପତିକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।