ସଫଳ ହେଲା ଜାଡେଜାଙ୍କ ଅସ୍ତ୍ରୋପଚାର, ହସ୍ପିଟାଲରୁ ସେୟାର କଲେ ଫଟୋ

ହାଇଦ୍ରାବାଦ,ଏଜେନ୍ସି: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସଫଳ ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର । ଜାଡେଜାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିବାରୁ ସେ ଏସିଆ କପରୁ ବାଦ ପଡିଥିଲେ । ଏନେଇ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ଅପରେସନ ସଫଳ ହେବା ପରେ ସେ ଇଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏସିଆ କପର ଲିଗ ମ୍ୟାଚ ରାଉଣ୍ଡରେ ପାକିସ୍ତାନ ବିପକ୍ଷ ଏବଂ ହଂକଂ ବିପକ୍ଷ ମ୍ୟାଚ ଖେଳିବା ପରେ ରବୀନ୍ଦ୍ର ଜାଡେଜା ଏସିଆ କପରୁ ଦଳରୁ ବାଦ ପଡିଥିଲେ । ଯାହା ଭାରତୀୟ କ୍ରିକେଟ ଟିମକୁ ଏକ ଶକ୍ତ ଝଟକା ଲାଗିଥିଲା । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା କି ତାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିଛି । ସେଥିପାଇଁ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରିବା ଆବଶ୍ୟକ । ତେବେ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହେବା ପରେ ଜାଡେଜା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଷ୍ଟାଗ୍ରାମରେ ସେ ମେଡିକାଲର ଫଟୋ ପୋଷ୍ଟ କରି ଲେଖିଛନ୍ତି ” ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ସମର୍ଥନ ଏବଂ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ସେହିପରି ବିସିସିଆଇ, ମୋ ଟିମମେଟ୍ସ, ସପୋର୍ଟ ଷ୍ଟାଫ, ଫିଜିଓସିସ, ଡାକ୍ତର ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ବହୁତ ଶୀଘ୍ର ମଇଦାନକୁ ଫେରିବାକୁ ଚେଷ୍ଟା କରିବି । ଆପଣଙ୍କ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।”

ସେପଟେ ଜାଡେଜାଙ୍କ ଆହତ ସମସ୍ୟା ନେଇ ସେ ଟି-୨୦ ବିଶ୍ବକପରୁ ବାଦ ପଡି ପାରନ୍ତି ବୋଲି ଚର୍ଚ୍ଚା କରାଯାଉଥିଲା । ସେ କେବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଦଳକୁ ଫେରିବେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଜାଡେଜା ଏସିଆ କପରୁ ବାଦ ପଡିବା ପରେ, ତାଙ୍କ ପରିବର୍ତ୍ତେ ବିସିସିଆଇ ଅଲରାଉଣ୍ଡର ଅକ୍ଷର ପଟେଲକୁ ଏସିଆ କପ ସ୍କ୍ବାଡ୍‌ରେ ସ୍ଥାନ ଦେଇଥିଲା । ଏସିଆ କପର ଗ୍ରୁପ ଏରେ ଭାରତ ଖେଳିଥିବା ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କର ଭଲ ପ୍ରଦର୍ଶନ ରହିଥିଲା ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ବ୍ୟାଟିଂରେ ଗୁରୁତ୍ବପୂର୍ଣ୍ଣ ଇଂନିସ ସହ ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୯ ବଲରୁ ୩୫ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ହଂକଂ ବିପକ୍ଷରେ ଜାଡେଜା ୪ ଓଭର ବୋଲିଂ କରି ୧୫ ରନ୍‌ ବ୍ୟୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।