ହୃଦ୍‌ଘାତରେ ଆଖି ବୁଜିଲେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟି

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ । ମଙ୍ଗଳବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଉମେଶ କଟ୍ଟି କର୍ଣ୍ଣାଟକ ସରକାରରେ ଖାଦ୍ୟ ଯୋଗାଣ ଏବଂ ଜଙ୍ଗଲ ବିଭାଗର ମନ୍ତ୍ରୀ ଥିଲେ । ମଙ୍ଗଳବାର ସେ ବେଙ୍ଗାଲୁରୁର ଡଲାର କଲୋନୀ ସ୍ଥିତ ନିଜର ବାସଭବନରେ ଥିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ସେ ବାଥରୁମ୍‌ରେ ଅଚେତ ହୋଇପଡିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ହିଁ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ମନ୍ତ୍ରୀ ଉମେଶ କଟ୍ଟି ୬ ଥର ବିଧାୟକ ଥିଲେ । ତାଙ୍କର ବିୟୋଗର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ”ମୋର ଘନିଷ୍ଠ ସହଯୋଗୀ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଉମେଶ କଟ୍ଟିଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ । ତାଙ୍କର ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ଏବଂ ବିଶ୍ବସ୍ତ ଜନ ସେବକକୁ ହରାଇଛି । ଭଗବାନ ତାଙ୍କର ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି । ”

ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ବରିଷ୍ଠ ରାଜନେତା ଉମେଶ କଟ୍ଟିଙ୍କ ବିୟୋଗରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ପିତା ବିଶ୍ବନାଥ କଟ୍ଟିଙ୍କ ଦେହାନ୍ତ ପରେ ଉମେଶ କଟ୍ଟି ୧୯୮୫ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୨୦୦୮ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହାପୂର୍ବରୁ କଟି ଜନତା ପାର୍ଟି, ଜନତା ଦଳ, ଜେଡିୟୁ ଏବଂ ଜେଡିଏସର ନେତା ଥିଲେ । ବୋମାଇ ସରକାରରେ ମନ୍ତ୍ରୀ ହେବା ପୂର୍ବରୁ ଉମେଶ କଟ୍ଟି ଜେ ଏଚ ପଟେଲ, ବିଏସ ୟେଦୁରପ୍ପା, ଡି.ବି ସଦାନନ୍ଦ ଗୌଡା ଏବଂ ଜଗଦଶ ସେଟ୍ଟୀରଙ୍କ ନେତୃତ୍ବାଧୀନ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ କର୍ଣ୍ଣାଟକ ସରକାର ରାଜ୍ୟରେ ଦିନିକିଆ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ।