ତୁଳସୀକ୍ଷେତ୍ର ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବନି

କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ରଥଯାତ୍ରାକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ କାରଯାଇଥିବା ସମସ୍ତ ଜନସ୍ୱାର୍ଥ ମାମଲାର ବୁଧବାର ଶୁଣାଣିି ହୋଇଛି। ତେବେ ସରକାରଙ୍କ ନିଷ୍ପତ୍ତିିରେ ହସ୍ତକ୍ଷେପ କରାଯିବନି ବୋଲି ମାନ୍ୟବର ହାଇକୋର୍ଟ କହିବା ସହ ଏହାକୁ ଖାରଜ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେବାପରେ ଏହାକୁ ନେଇ ଗତ କିଛିଦିନ ହେବ କେନ୍ଦ୍ରାପଡାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତୁଳସୀକ୍ଷେତ୍ରରେ ରଥାଯାତ୍ରା ବନ୍ଦ ନିଷ୍ପତ୍ତିି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଡବ୍ଲ୍ୟୁପି.ସି. ନମ୍ବର-୧୭୯୬୪/୨୦୨୧ ହାଇକୋର୍ଟରେ ଦାଖଲ ହେବାପରେ ଅନ୍ୟ ୪ଟି ଜନସ୍ୱାର୍ଥ ମାମଲା ମଧ୍ୟ ଦାଖଲ ହୋଇଥିଲା। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଯାହାବି ନିଷ୍ପତ୍ତି ନେଇଛନ୍ତି ସେଥିରେ ହାଇକୋର୍ଟ ହସ୍ତକ୍ଷେପ କରିବେନି ବୋଲି ବୁଧବାର ସିଧାସଳଖ ମନା କରିଦେଇଛନ୍ତି। ମାତ୍ର ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିିବେ ବୋଲି ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି। ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର, ପ୍ରିନ୍ସିପାଲ ସେକ୍ରେଟାରୀ, ଆଇନ ବିଭାଗ ସଚିବ, ଏଣ୍ଡମେଣ୍ଟ କମିଶନର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଅପରପକ୍ଷରେ ଗୁରୁବାର ଦେବସ୍ନାନ ପୂର୍ଣ୍ଣିମାରେ ବଳଦେବଜିଉ ମନ୍ଦିର ସେବାୟତମାନେ ରଥଯାତ୍ରା ପାଇଁ ଦାବିକରି ମନ୍ଦିରରେ ଅଖଣ୍ଡ ଦୀପ ଜଳାଇବା ସହିତ ଘରେ ଘରେ ଘିଅଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି।