ଶ୍ରୀକ୍ଷେତ୍ରରେ ଚାଲିଛି ସ୍ନାନଯାତ୍ରା; ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଗଜାନନ ବେଶ

ପୁରୀ,ଏନ୍ଏନ୍ଏସ୍: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଚାଲିଛି। ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଶ୍ରୀଜିଉମାନେ ସ୍ନାନବେଦୀରେ ୧୦୮ ଗରାର ସୁବାସିତ ପାଣିରେ ଗୋଧୋଇବେ। ଏଥିରେ ମହାପ୍ରଭୁ ଜଗନ୍ନାଥ ୩୫ ଗରା ପାଣି, ମହାପ୍ରଭୁ ବଳଭଦ୍ର ୩୩ ଗରା ପାଣି, ମା’ ଶୁଭଦ୍ରା ୨୨ ଗରା ପାଣି ଓ ସୁଦର୍ଶନ ୧୮ ଗରା ପାଣିରେ ଗାଧୋଇବେ। ମହାପ୍ରଭୁଙ୍କ ମନଲୋଭା ‘ଗଜାନନ’ ବେଶ ଆଜି ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଯିବ। ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। କରୋନା କଟକଣା ଭିତରେ ସ୍ନାନଯାତ୍ରାର ଆୟୋଜନ ହେଉଥିବାରୁ ସାଧାରଣ ଭକ୍ତମାନେ ସ୍ନାନଯାତ୍ରାରେ ସାମିଲ ହୋଇପାରି ନାହାନ୍ତି।

ସ୍ନାନଯାତ୍ରା ପୂର୍ବରୁ ଆଜି ରାତି (ବୁଧବାର-ଗୁରୁବାର ରାତି) ୧ଟାରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ତା’ପରେ ରାତି ୧ଟାରୁ ୪ଟା ପର୍ଯ୍ୟନ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପ ଲାଗି, ୫ଟା ୩୦ରେ ଅଧର ପୋଛା, ୬ଟାରେ ଅବକାଶ, ୬ଟା ୩୦ରେ ରୋଷହୋମ ହୋଇଥିଲା। ୬ଟା ୪୫ରେ ସୂର୍ଯ୍ୟ ପୂଜା, ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶଶେଷ, ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ, ୧୦ଟାରେ ମଇଲମ, ନୂଆଲୁଗା ଲାଗି ବେଶ, ୧୦ଟା ୩୦ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କୋଭିଡ-୧୯ କଟକଣା ସହିତ ଏହି ଯାତ୍ରାର ଆୟୋଜନ ହେଉଛି। ଦେବସ୍ନାନ ପୂର୍ଣ୍ଣିମାରେ ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ନିକଟକୁ ବାରଣ କରାଯାଇଛି। ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ କରାଯାଇଛି। ସ୍ନାନଯାତ୍ରା ଶେଷ ହେବା ପରେ ୧୪୪ ଧାରା ଉଠିବ। କରୋନା ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହୋଇଛନ୍ତି।

ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂପ, ୪ଟାରେ ହାତୀବେଶ ମଇଲମ, ପୁଷ୍ପାଞ୍ଜଳି ଓ ଡୋରଲାଗି, ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।