ରାସାନ ସାମଗ୍ରୀ ଯୋଗାଣରେ ହେରଫେର ଅଭିଯୋଗ

ଝାରସୁଗୁଡା,ଏନ୍ଏନ୍ଏସ୍: ସମରବଗା ପଞ୍ଚାୟତରେ ରାସନ ସାମଗ୍ରୀ ଯୋଗାଣରେ ହେରଫେର କରାଯାଇଥିବା କୁଡାବଗା ଗ୍ରାମର ଧନେଶ୍ୱର ନେଗୀ ଅଭିଯୋଗ କରିଛନ୍ତି। ସେ ଏନେଇ ଲଖନପୁର ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚଣା ତାଙ୍କୁ ସଠିକ ଭାବରେ ପ୍ରଦାନ କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ ପ୍ରତି ମାସରେ ୨ କେଜି ଚଣା ଦିଆଯାଇଥିବାବେଳେ ପଞ୍ଚାୟତର ଯୋଗାଣ ଅଧିକାରୀ ତାଙ୍କୁ ୨ ମାସରେ କେବଳ ୨ କେଜି ଚଣା ଦେଇ ତାଙ୍କ ଖାତାରେ ୪ କେଜି ଉଲ୍ଲେଖ କରିଛନ୍ତି। ତେଣୁ ଘଟଣାର ତଦନ୍ତ କରାଯାଇ ତାଙ୍କୁ ଉଚିତ ପରିମାଣର ଚଣା ଯୋଗାଇବାସହ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି। ଅନ୍ୟପଟେ ଏନେଇ ଯୋଗାଣ ଅଧିକାରୀ ରେବତୀ ସାହୁଙ୍କୁ ପଚାରିବାରୁ କହିଛନ୍ତି ସେ ୨ ମାସର ୪ କେଜି ଚଣା ପ୍ରଦାନ କରିଛନ୍ତି। ହେଲେ ମଧ୍ୟ ଧନେଶ୍ୱର ତାଙ୍କ ନାମରେ ମିଛ ଅଭିଯୋଗ ଆଣିଛନ୍ତି। ତେଣୁ ଏହାର ତଦନ୍ତ କରାଯାଇ ସତ୍ୟ ଘଟଣାକୁ ଲୋକଲୋଚନକୁ ଅଣାଯାଉ ବୋଲି ସେ କହିଛନ୍ତି।