ଚୋରା ଚାଲାଣ : ଯାନବାହାନ ଜବତ ଓ ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଭାବେ ବାଲି, ମୋରୁମ, ପଥରର ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ କରାଯିବା ସହ ଗାଡ଼ି ଗୁଡ଼ିକୁ ଜବତ କରାଯାଇଥିବା ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଲଗା ପଞ୍ଚାୟତ ଟାଙ୍ଗରପାଲିରେ ବାଲି ଚୋରା ଚାଲାଣ ହେଉଥିବା ଟ୍ରାକ୍ଟରରୁ ୫୦ ହଜାର ଟଙ୍କା, କୁଷ୍ଠାପତ୍ରାଠାରେ ଚୋରା ମୋରୁମ ଚାଲାଣ କରୁଥିବା ଏକ ହାଇୱାରୁ ୧ଲକ୍ଷ ଟଙ୍କା ଓ ଲୋଇସିଂହଠାରେ ଚୋରା ପଥର ଚାଲାଣ କରୁଥିବା ଏକ ଟ୍ରାକ୍ଟରରୁ ୨୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇ ଯାନଗୁଡ଼ିକୁ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲା ବିଜେପି ପକ୍ଷରୁ ଗତ ମଙ୍ଗଳବାର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବିଭିନ୍ନ ସ୍ଥାନକୁ ବେଆଇନ ଭାବରେ ଚାଲାଣ ହେଉଥିବା ମୋରମ, ପଥର ଓ ବାଲି ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଥିଲା।