ପାଟନା, ଏଜେନ୍ସି: ବିହାର ରାଜ୍ୟର ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗହାରେ ବିହାର ପୁଲିସ ପାଇଁ ପରୀକ୍ଷା ଦେବାକୁ ଯାଇଥିବା ଜଣେ ଯାତ୍ରୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆଜି ଛାତ୍ରୀଙ୍କ ମୃତଦେହ କେନାଲ କଡ଼ରୁ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ମୁହଁରେ ଏସିଡ ପକାଇ ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ଯାଞ୍ଚ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୪ ତାରିଖ ଦିନ ଚିଉଟାହା ଥାନା ଅଞ୍ଚଳର ଜଣେ ଛାତ୍ରୀ ବିହାର ପୁଲିସ ପରୀକ୍ଷା ଦେବାକୁ ବେତିୟା ଯାଇଥିଲେ। ପରୀକ୍ଷା ଦେବାପରେ ଛାତ୍ରୀ ଅଟୋରେ ଘରକୁ ଫେରୁଥିଲେ। ଅଟୋ ଚାଳକ ଛାତ୍ରୀଙ୍କୁ ଅପହରଣ କରି ଏକ ଶୂନଶାନ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରିଥିଲା। ଛାତ୍ରୀଙ୍କ ପରିଚୟ ନଷ୍ଟ କରିବାକୁ ତାଙ୍କ ମୁହଁରେ ଏସିଡ ପକାଇ ଦେଇଥିଲା। ୩ ଦିନ ପରେ ସେମରା ଥାନା ଅନ୍ତର୍ଗତ ପ୍ରତାପପୁର କେନାଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ହତ୍ୟାକାରୀ ଅଟୋ ଚାଳକକୁ ଫାଶୀ ଦେବାକୁ ଦାବି କରିଛନ୍ତି।