୭ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳକୁ ରାସ୍ତା ନିର୍ମାଣ କାମ ଆରମ୍ଭ

ଚିତ୍ରକୋଣ୍ଡା,ଏନ୍ଏନ୍ଏସ୍: ଓଡିଶା ପୋଲିସ,ଏସଓଜି ଓ ବିଏସଏଫ ଙ୍କ ମିଳିତ ଉଦ୍ୟମ ରେ ହନ୍ତାଳଗୁଡା ରୁ ଯୋଡ଼ାମ୍ବ କୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ଫଳରେ ବିଛିନ୍ନ ହୋଇ ରହିଥିବା ୫ ଟି ପଞ୍ଚାୟତ କୁ ଏହି ରାସ୍ତାଟି ଯୋଗାଯୋଗ କରିବ ବୋଲି ସୂଚନା ମିଳିଛି। ୪ଟି ଜେସିବି ଦ୍ୱାରା ଏହି ରାସ୍ତା କାମ ଦୀର୍ଘ ୭ ଦିନ ଧରି ହୋଇ ଆସୁଥିବା ବେଳେ ଏଠାରେ ୨୪ ଘଣ୍ଟା କଡା ସୁରକ୍ଷା ଦେଉଛି ଓଡିଶା ପୋଲିସ ଏବଂ ବିଏସଏଫ, ଯାହାଦ୍ୱାରା କି ଠିକାଦାର ସଂସ୍ଥା ରାସ୍ତା କାମ ନିର୍ଭୟର ସହ କରୁଥିବା ଦେଖିବାକୁ ମିଳିଛି।

ହନ୍ତାଳଗୁଡାରୁ ଦୀର୍ଘ ୧୪ କିଲୋମିଟର ଯାଏଁ ଯୋଡ଼ାଆମ୍ବ ପର୍ୟ୍ୟନ୍ତ ଏହି ରାସ୍ତା କାମ ହେଉଥିବା ସୂଚନା ମିଳିଛି। ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ବିଛିନାଞ୍ଚଳକୁ ପୂର୍ବରୁ ପାହାଡ଼, ନଦୀ ଓ ଝରଣା ଆଦି ଘେରି ରହିଥିବାରୁ ଉକ୍ତ ଅଂଚଳକୁ ରାସ୍ତା ଘାଟ ନଥିବାରୁ ଯାତାୟାତ ପାଇଁ ବହୁ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡୁଥିଲା।

ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳବାସୀ ଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି। ଏବଂ ଗୁରୁପ୍ରିୟା ସେତୁର ଦୀର୍ଘ ଦେଢ଼ ବର୍ଷ ପରେ ଏହି କାମ ଆରମ୍ଭ ହୋଇଥିବାରୁ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିପାରିବ ବୋଲି ସ୍ୱାଭିମାନ ଅଞ୍ଚଳବାସୀ ଆଶା କରୁଛନ୍ତି।

ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ଉଦ୍ୟମ ଓ ନିର୍ଦ୍ଦେଶରେ ପାପରମେଟଲା ଓଆଇସି ଲଷ୍ମୀ ନାରାୟଣ ମୁଦୁଲିଙ୍କ ପରିଚାଳନାରେ ଦଳବଧ ଭାବେ ଏକତ୍ରିତ ହୋଇ ୪ଟି ଜେସିବି ମେସିନ ଲଗାଇ ପାହାଡ଼ କାଟି ରାସ୍ତା ଫିଟାଯାଇଛି। ଏହି ବିଛିନାଞ୍ଚଳକୁ ରାସ୍ତା ତିଆରି କରିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ବିଳମ୍ବ କରୁଥିବାବେଳେ ମାଲକାନଗିରି ପୋଲିସ ପ୍ରଶାସନ ଉକ୍ତ ରାସ୍ତା ତିଆରି ପାଇଁ ଉଦ୍ୟମ କରିଥିବାରୁ ପୋଲିସର ଏଭଳି କାମ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।