କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ?

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୭ ତାରିଖ ଦିନ ରାଜ୍ୟ ବିଜେପି ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା କାଲି ୧୬ ତାରିଖ ଅପରାହ୍ନ ୩ଟାରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅପରାହ୍ନ ୩ଟାରୁ ନାମାଙ୍କନ ପତ୍ର ଦାଖଲ ହେବା ପରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଆବଶ୍ୟକ ପଡିଲେ ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ସକାଳ ୧୦ଟାରେ ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇ ଅପରାହ୍ନ ୧.୩୦ରେ ଭୋଟ ଗଣତି କରାଯିବା ପରେ ନୂତନ ସଭାପତିଙ୍କ ନାମ ଘୋଷଣା କରାଯିବ ।

ଯଦି ରାଜ୍ୟସଭାପତି ପାଇଁ ଜଣେ ପ୍ରାର୍ଥୀ ରୁହନ୍ତି, ତେବେ ସେହି ପ୍ରାର୍ଥୀଙ୍କ ନାମ ୧୭ତାରିଖ ଦିନ ସକାଳ ୧୧ଟାରେ କେନ୍ଦ୍ର ନିର୍ବାଚନରୁ ଆସିଥିବା ପର୍ୟ୍ୟବେକ୍ଷକ। ଘୋଷଣା କରିବେ ଏବଂ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ଏହି ନିର୍ବାଚନ ସହ ୨୧ଲୋକସଭା କ୍ଷେତ୍ରରୁ ନିର୍ବାଚିତ ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁମାନେ କେନ୍ଦ୍ରୀୟ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବେ ।

ଏହି ଅବସରରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀ, ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସମ୍ପାଦକ ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଶ୍ରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସମସ୍ତ ସାଂସଦ, ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ, ପୂର୍ବତନ ସାଂସଦ ଓ ବିଧାୟକ, ସମସ୍ତ ଜିଲ୍ଲା ପରିଷଦ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ, ସମସ୍ତ ବ୍ଲକ ଚେୟାରମ୍ୟାନ, ମ୍ୟୁନିସିପାଲିଟି ଚେୟାରମ୍ୟାନ, ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲାର ସମସ୍ତ ନିର୍ବାଚନ ଅଧିକାରୀ ଓ ସହ-ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ।

୨୦୧୯ ଜୁଲାଇ ୬ ତାରିଖରେ ଯେଉଁ ସାଙ୍ଗଠନିକ ପର୍ବ ଆରମ୍ଭ ହୋଇଥିଲା ତାହା ସମାପ୍ତି ହୋଇଛି । ଯାହା ଫଳରେ ଓଡିଶାରେ ବିଜେପି ୨୫,୭୫୯ ବୁଥ୍ କମିଟି ଗଠନ କରିପାରିଛି । ଏହା ସହ ୮୫୦ଟି ମଣ୍ଡଳ କମିଟି ଗଠନ ହୋଇପାରିଛି ଏବଂ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାର ଶ୍ରୀ ରାୟ ସୁଚନା ଦେଇଛନ୍ତି ।