ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରାମନାଗୁଡ଼ା ଗସ୍ତ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗୁଣପୁର ସମେତ ରାମନାଗୁଡ଼ା ଗସ୍ତରେ ଆସି କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ। ରାୟଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ ସିଦେ୍ଧଶ୍ୱର ବନ୍ଦୋର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଗୁଣପୁର ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ଥା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଉପାଧ୍ୟକ୍ଷଙ୍କ ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ଡ. ସିଦେ୍ଧଶ୍ୱର ବଳିରାମ ବନ୍ଦୋର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ସେହିପରି ସେ ରାମନାଗୁଡ଼ା ବ୍ଲକରେ ପହଞ୍ଚି ଭିଡିଓ କନଫରେନ୍ସି ଗୃହରେ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ପଚାରିବା ସହ ହିତାଧିକାରୀଙ୍କୁ ପେନସନ, ରାସନ ସାମଗ୍ରୀ ତଥା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଗଗ୍ରତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପୁଷ୍ଟିକର ବଗିଚା, କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ରାମନାଗୁଡା ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ବିଡିଓ ବେଣୁଧର ଶବର, ସ୍ଥାନୀୟ ନେତା ତଥା ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟଙ୍କ ସହ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।