ପୁଣିଥରେ କୃଷକ ଆନ୍ଦୋଳନର ଧମକ ଦେଲେ ରାକେଶ ଟିକେୟତ

ନୂଆଦିଲ୍ଲୀ: ନିରସ୍ତ୍ର ହୋଇଯାଇଥିବା ୩ କୃଷି ଆଇନକୁ ନେଇ ପୁଣିଥରେ ରାଜନୀତି ସରଗରମ ହୋଇଛି । ସୁପ୍ରିମକୋର୍ଟ ତରଫରୁ ନିଯୁକ୍ତ ସମିତି ରିପୋର୍ଟ ସାର୍ବଜନିକ ହେବା ପରେ କୃଷକ ନେତା ରାକେଶ ଟିକେୟତ ପୁଣିଥରେ କୃଷକ ଆନ୍ଦୋଳନର ଧମକ ଦେଇଛନ୍ତି । ଉକ୍ତ ରିପୋର୍ଟରେ ସମିତି କୃଷି ଆଇନକୁ ପ୍ରତ୍ୟାହାର କରିବା ସପକ୍ଷରେ ନଥିଲା ବୋଲି ଉପସ୍ଥାପନ କରାଯାଇଛି ।

ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକେୟତ ଟ୍ୱିଟ କରି କହିଛନ୍ତି ଯେ, ୩ କୃଷି ଆଇନ ସମର୍ଥନରେ ସୁପ୍ରିମକୋର୍ଟକୁ ସମିତି ହସ୍ତାନ୍ତର କରିଥିବା ରିପୋର୍ଟକୁ ସାର୍ବଜନିକ କରି ସେମାନେ କେନ୍ଦ୍ର ସରକାରଙ୍କ ହାତର କାଠପିତୁଳା ବୋଲି ପ୍ରମାଣ କରି ଦେଇଛନ୍ତି । ଏହି ଆଳରେ କେନ୍ଦ୍ର ସରକାର ଯଦି ପୁଣିଥରେ କୃଷି ଆଇନ ଆଣିବା କଥା ଭାବୁଥିବେ ତେବେ ବଡ଼ କୃଷି ଆନ୍ଦୋଳନ ଆରମ୍ଭ କରିବାକୁ ଆମେ ମଧ୍ୟ ପଛାଇବୁ ନାହିଁ ।