ରାଜ୍ୟସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳ ଗସ୍ତ

ପାଟଣାଗଡ଼,ଏନ୍ଏନ୍ଏସ୍: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ, ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟ ଓ ହରିଶଙ୍କର ମନ୍ଦିର ବୁଲି ଦେଖିଥିଲେ। ପ୍ରଥମେ କପସିପାଳି ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରୀ ଛାତ୍ର ଏବଂ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସେହିପରି ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବ୍ଲକର ବିଭିନ୍ନ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା କରିବା ସହ ତୁରେକେଳା ଫିଡରରୁ ବିଦ୍ୟୁତ ସଂଯୋଗ ଦେବାକୁ ଟାଟା ସିଇଓଙ୍କ ସହ ଆଲୋଚନା କରିଥିବା ବେଳେ ଧଣ୍ଡା ମୁଣ୍ଡରେ ଏକ ଗ୍ରିଡ୍‌ ସ୍ଥାପନ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଖପ୍ରାଖୋଲ ପ୍ରେସ କ୍ଲବ ତରଫରୁ ସ୍ବାଗତ କରାଯାଇଥିଲା। ପରେ ମହରାପଦର ହାଇସ୍କୁଲ, ତୁର୍ଲା ସେବାଶ୍ରମ ବିଦ୍ୟାଳୟ, ବେନକେରା ସେବାଶ୍ରମ ବୁଲି ଦେଖିଥିଲେ। ସେହିପରି ହରିଶଙ୍କର ମନ୍ଦିର ଗସ୍ତ କରି ଠାକୁର ଦର୍ଶନ କରିବା ସହ ଝରଣା କୁଳ ବୁଲି ଦେଖିଥିଲେ। ମନ୍ଦିରର ମାନେଜର ଗୁପ୍ତେଶ୍ୱର କୁଆଁର ଏବଂ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ। ଗସ୍ତ ଅବସରରେ ଗିରିରାଜ ଭୋଇ, ଟିକେଶ୍ୱର୍ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।