ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୦ଟି ଏସୀୟ ରାଷ୍ଟ୍ର ଏବଂ ଏହାର ସାଥୀ ରାଷ୍ଟ୍ରଗୁଡିକର ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କରିଛନ୍ତି। ଆଜି ସକାଳ ୬ଟା ୩୦ ସମୟରେ ସାଉଥ ବ୍ଲକଠାରେ ଆୟୋଜିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେଇଥିଲେ। ଏଥିରେ ରାଜନାଥ ସିଂ ଏସୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଅଞ୍ଚଳ ସମ୍ମୁଖୀନ ହେଉଥିବା ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ଉପରେ ଭାରତର ମତାମତ ଉପସ୍ଥାପନ କରିଥିଲେ।

ସେହିପରି ଆସନ୍ତାକାଲି ହେବାକୁ ଥିବା ଏସୀୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଡିଏମଏମ ପ୍ଲସ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଭିଡିଓ କନଫରେନ୍ସିଂ ଯୋଗେ ଅଂଶଗ୍ରହଣ କରିବେ। ଗୁରୁବାର ସକାଳୁ ଏହି ବୈଠକ ବସିବ। ସୂଚନାଥାଉ କି, ଏଡିଏମଏମ ପ୍ଲସ ହେଉଛି ଏକ ୧୦ଟି ଏସିୟ ରାଷ୍ଟ୍ର ଏବଂ ଏହାର ୮ଟି ସାଥୀ ରାଷ୍ଟ୍ର ଯଥା ଭାରତ, ଚୀନ, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲାଣ୍ଡ, ରିପବ୍ଲିକ ଅଫ କୋରିଆ, ଋଷିଆ ଏବଂ ଆମେରିକା ଆଦି ଏହିସବୁ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ବିକାଶ ନେଇ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବା ପାଇଁ ଏକ ପ୍ଲାଟଫର୍ମ।