କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରୀରେ ଅନାଥ ହୋଇଥିବା ପିଲାଙ୍କୁ ଓଡ଼ିଶା ସରକାର ମାଗଣାରେ ଶିକ୍ଷା ପ୍ରଦାନ କରିବେ। ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫ଜଣ ଶିଶୁ ପିତାମାତାଙ୍କୁ କରୋନାରେ ହରାଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି ଯେ, ଏହି ଯୋଜନା ଇଞ୍ଜିନିୟରିଂ ସମେତ ସମସ୍ତ ସ୍କୁଲ ଓ ଉଚ୍ଚ ଶିକ୍ଷା ପାଇଁ ପିଲାଙ୍କ ଆଡମିସନ, ଟ୍ୟୁସନ ଓ ପରୀକ୍ଷା ଶୁଳ୍କ ବହନ କରିବ। ଏହି ପିଲାଙ୍କୁ ପ୍ରତ୍ୟେକ ମାସ ୨ ହଜାର ଟଙ୍କାର ପେନସନ୍ ପ୍ରଦାନ କରାଯିବ। ଏଥିସହିତ ପିଲାଙ୍କୁ ଜୁନ୍, ଜୁଲାଇ ଓ ଅଗଷ୍ଟ ପାଇଁ ଅଗ୍ରୀମ ପେନସନ୍ ମଧ୍ୟ ଦିଆଯିବ।

ମହିଳା ଏବଂ ବାଳ ବିକାଶ ବିଭାଗର ପରାମର୍ଶଦାତା ସୁଲତା ଦେବ କହିଛନ୍ତି ଯେ, ଓଡ଼ିଶାରେ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ‘ଗ୍ରୀନ ପ୍ୟାସେଜ’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ କୋଭିଡ-୧୯ରେ ଅନାଥ ହୋଇଥିବା ପିଲାଙ୍କୁ ସ୍କୁଲ ସମେତ ସମସ୍ତ ସ୍ତରର ଶିକ୍ଷାକୁ ସାମିଲ କରାଯାଇଛି। ଆଉ ଅନାଥ ଶିଶୁ ଯଦି କୌଣସି ଘରୋଇ ସଂସ୍ଥାରେ ପାଠ ପଢ଼ୁଛନ୍ତି ତେବେ ସେମାନଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।