ଖଣି ଅଞ୍ଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ଲୁହା ପଥରକୁ ବଜାରରେ ବିକ୍ରି କରାଯାଉ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟର ଖଣି ଅଞ୍ଚଳରେ ପଡ଼ି ରହି ବିକ୍ରି ହୋଇନଥିବା ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ନିୟୁତ ମେଟ୍ରିକ୍ ଟନ(ଏମଏମଟି)ର ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏ ପରିପ୍ରେକ୍ଷୀରେ ବିଜେପି ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରନ୍ତୁ। ପଡ଼ି ରହିଥିବା ଲୁହା ପଥର ବିକ୍ରି କରାଗଲେ ଓଡ଼ିଶାର ରାଜସ୍ୱ ବୃଦ୍ଧି ହେବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବ ଏବଂ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବ। ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମୋହନ ମାଝୀ କହିଛନ୍ତି। ଏଥିସହ ସେ କହିଛନ୍ତି କି ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ ବୋଲି ଖଣି ବିଭାଗ ପ୍ରମୁଖ ସଚିବ କାରଣ ଦର୍ଶାଇଥିଲେ। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଲ ଖଣିଜ ପଦାର୍ଥରୁ ଯେଉଁ ରାଜସ୍ୱ ଆସିବ ତାକୁ କୋଭିଡ-୧୯ ମହାମାରୀ ମୁକାବିଲାରେ ବିନିଯୋଗ କରାଯାଇ ପାରିବ। ଏଥିସହ ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କୁହାଯାଇଛି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ରାଜ୍ୟର ଖଣି ନିଲାମ କରାଯାଇଥିଲା। ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା। କରୋନା ପରେ ଏହି ଖଣିଜ ଦ୍ରବ୍ୟ ମଧ୍ୟରୁ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର କୋଟି ଟଙ୍କା। ଖଣି ନିଲାମର ଅବଧି ନଭେମ୍ୱର, ୨୦୨୦ ପର୍ଯ୍ୟନ୍ତ ଥିଲା। ଏମଏମଡିଆର ଆକ୍ଟର ୧୨ (ଜିଜି) ଏବଂ ୧୨ (ଏଚଏଚ) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ ଖଣିଜ ଦ୍ରବ୍ୟ ବିକ୍ରି କରାଯାଇ ପାରିନଥିଲା। ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆ ଗାଁ ଆଇରନ ଓର୍ ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡି ରହିଛି।

ଶ୍ରୀ ମୋହନ ମାଝି କହିଛନ୍ତି ଯେ ଏହି ଖଣିର ଲିଜଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା। ମାତ୍ର ମାନ୍ୟବର କୋର୍ଟ ନିର୍ଦ୍ଦେଶନାମା ଜାରି କରି କହିଲେ ଯେ, ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟତାମୂଳକ ହେବ ବୋଲି ରାୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ। ତେବେ ଏବେ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି। ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ। ଏହା ବିକ୍ରି କରାଗଲେ ରାଜ୍ୟକୁ ହିଁ ଲାଭ ହେବ।