ଆଇପିଏଲ୍‌: ଚେନ୍ନାଇକୁ ୫ ୱିକେଟ୍‌ରେ ହରାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରାଜସ୍ଥାନ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୬୮ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ୬ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ରାଜସ୍ଥାନ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ ୫ ୱିକେଟ୍ ବିନିୟମରେ ହାସଲ କରିଥିଲା। ଏହି ବିଜୟର ସହିତ ରାଜସ୍ଥାନ ପଏଣ୍ଟ ଟେବୁଲର ୨ ୟ ସ୍ଥାନରେ ପହଞ୍ଚିଛି। ରାଜସ୍ଥାନ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳି ୯ଟିରେ ବିଜୟ ହାସଲ କରିଛି। ଅପରପକ୍ଷେ ଚେନ୍ନାଇ ୧୪ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟନ୍ସ ଶୀର୍ଷରେ ରହିଛି।

ରାଜସ୍ଥାନ ରୟାଲ୍ସ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୫୯ ରନ୍ ସଂଗ୍ରହ କରିଥିଲେ। ସେ ୪୪ଟି ବଲ୍ ଖେଳି ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୪୦ ରନ୍ ସଂଗ୍ରହ କରିଥିଲେ। ସେ ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ଅଧିନାୟକ ସଂଜୁ ସାମସନ୍‌ଙ୍କ ବ୍ୟାଟରୁ ୧୫ ରନ୍ ସଂଗ୍ରହ ହୋଇଥିଲା।

ପ୍ରଥମ ପାଳିରେ ଚେନ୍ନାଇ ପକ୍ଷରୁ ମୋଇନ୍ ଅଲୀ ସର୍ବାଧିକ ୯୩ ରନ୍ କରିଥିଲେ। ସେ ୫୭ଟି ବଲ୍ ଖେଳି ୧୩ଟି ଚୌକା ଓ ୩ଟି ଛକା ମାଧ୍ୟମରେ ଏହି ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୬ ରନ୍ କରିଥିଲେ।