ଶ୍ରୀଲଙ୍କା ପାଇଁ ସଙ୍କଟମୋଚନ ସାଜିଛି ଭାରତ, ଏମିତି ଭାବରେ ସହଯୋଗ କରୁଛି ମୋଦୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ବହୁତ ଖରାପ ରହିଥିବା ଦେଖିବାକୁ ମିଳୁଛି। ଦେଶରେ ନୂଆ ସରକାର ଗଠନ ହୋଇସାରିଛି। ନୂଆ ପ୍ରଧାନମନ୍ତ୍ରୀ ମିଳିଛି। କିନ୍ତୁ ତୃଣମୂଳ ସ୍ତରରେ ଶ୍ରୀଲଙ୍କାର ଅବସ୍ଥା ଏବେ ବହୁତ ଦୁର୍ବଳ। ଦେଶ ଏବେ ଏଭଳି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ମେରୁଦଣ୍ଡ ଛିଡ଼ା କରିପାରୁ ନାହିଁ। ଶ୍ରୀଲଙ୍କାର ଇତିହାସରେ ଏଭଳି ଆର୍ଥିକ ଖରାପ ସ୍ଥିତି ଆସି ନଥିଲା।

ଏହି ସଂକଟ ସମୟରେ ଶ୍ରୀଲଙ୍କାକୁ ଭାରତ ସରକାର ସହଯୋଗ କରୁଛନ୍ତି। ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ପାଇଁ ମୋଦୀ ସରକାର ଉଦ୍ୟମ କରୁଛନ୍ତି। ଭାରତ ରବିବାର ଶ୍ରୀଲଙ୍କାକୁ ୯୦୦ ମେଟ୍ରିକ୍ ଟନ୍ ଚାଉଳ, ୨୦୦ ମେଟ୍ରିକ୍ ଟନ୍ କ୍ଷୀର ପାଉଡର ଓ ୨୪ ମେଟ୍ରିକ୍ ଟନ୍ ଜରୁରୀ ଔଷଧ ଦେବ। ଏହା ରବିବାର ସୁଦ୍ଧା ଶ୍ରୀଲଙ୍କାରେ ପହଞ୍ଚି ଯିବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ସରକାର ଶ୍ରୀଲଙ୍କାକୁ ପାଖାପାଖି ୪୫ କୋଟି ଟଙ୍କାର ସାମଗ୍ରୀ ପଠାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଭାରତ ତରଫରୁ ଶ୍ରୀଲଙ୍କାକୁ ସହାୟତା ଯୋଗାଇ ଦିଆଯାଇଛି। ଶ୍ରୀଲଙ୍କା ସରକାର ସହାୟତା ପାଇଁ ମଝିରେ ମଝିରେ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀଲଙ୍କାର ବିକାଶ ପାଇଁ ଭାରତ ତରଫରୁ ସବୁ ସମୟରେ ଉଦ୍ୟମ କରାଯାଉଛି। ଇଣ୍ଡିଆନ୍ ମିଶନ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ଭାରତର ଲୋକେ ଲଗାତାର ଭାବେ ଶ୍ରୀଲଙ୍କାର ଲୋକଙ୍କ ସହିତ ଛିଡ଼ା ହୋଇଛନ୍ତି।