କେନ୍ଦ୍ରାପଡ଼ା ସାଂସଦଙ୍କ ଫେସ୍‌ବୁକ୍ ଭିଡିଓ ପ୍ରସଙ୍ଗ; ପଞ୍ଚାୟତ ନିର୍ବାଚନ ବେଳେ ଅନୁଭବଙ୍କୁ କେଉଁଠି ଦେଖିନି: ଦେବାଶିଷ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଫେସବୁକ୍ ଭିଡିଓକୁ ନେଇ ବର୍ତ୍ତମାନ ରାଜ୍ୟବ୍ୟାପୀ ଚର୍ଚ୍ଚା । ଏହି ଭିଡିଓରେ ସେ ନିଜର ବ୍ୟକ୍ତିଗତ କଥାକୁ ସର୍ବସାଧାରଣଙ୍କ ସହ ବାଣ୍ଟିଛନ୍ତି । ଜୀବନସାଥୀ ଚୟନରେ ସେ ଭୁଲ୍ କରିଥିବା କହି ମାନସିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କଥା ମଧ୍ୟ ଚିନ୍ତା କରିଥିବାର ସ୍ୱୀକାର କରିଛନ୍ତି । ଏଥିସହ ଆଗକୁ ତାଙ୍କର ରାଜନୈତିକ କ୍ୟାରିଅର କେଉଁ ଦିଗକୁ ଯିବ ଏନେଇ ମଧ୍ୟ ସେ ସନ୍ଦିହାନ୍ ହୋଇପଡ଼ିଛନ୍ତି । ତେବେ ଏହି ପ୍ରସଙ୍ଗରେ ଆଜି ବିଜେଡି ପକ୍ଷରୁ ପ୍ରତିକ୍ରିୟା ଆସିଛି । ସାଂସଦ ଭିଡିଓରେ ତାଙ୍କର ବ୍ୟକ୍ତିଗତ କଥା କହିଛନ୍ତି, କେନ୍ଦ୍ରାପଡ଼ାବାସୀଙ୍କ କଥା କହିନାହାନ୍ତି । ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କୁ କେଉଁଠି ଦେଖିନାହିଁ ବୋଲି ପୂର୍ବତନ ବିଜେଡି ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି ।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ମୁଁ ସେଇ ଭିଡିଓ ଦେଖିଛି । ସେଥିରେ ସାଂସଦ ଭାବପ୍ରବଣ ହୋଇ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । କିନ୍ତୁ ଜଣେ ସାଂସଦ ହିସାବରେ ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କ’ଣ କରୁଛନ୍ତି, ସେ ସମ୍ପର୍କରେ ଭିଡିଓରେ କିଛି କହିନାହାନ୍ତି । କେନ୍ଦ୍ରାପଡ଼ାବାସୀଙ୍କୁ ସାହାଯ୍ୟ କରୁଛନ୍ତି ନା ନାହିଁ, ସେମାନଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି ନା ନାହିଁ, ତାହା ବି କହି ନାହାନ୍ତି । ଏ ବିଷୟରେ ଦୁଇ ପଦ କହିଥିଲେ ଖୁସି ହୋଇଥା’ନ୍ତି ।

ଅନ୍ୟପଟେ ଦଳରେ ଅନୁଭବଙ୍କୁ ଅଣଦେଖା କରାଯାଉଥିବା ପ୍ରସଙ୍ଗରେ ଶ୍ରୀ ସାମନ୍ତରାୟ କହିଛନ୍ତି, କେନ୍ଦ୍ରାପଡ଼ାରେ ସବୁ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଏ । ତାଙ୍କୁ ଡକାଯାଏ ନାହିଁ ବୋଲି କହିବା ଭୁଲ୍ ହେବ । କେଉଁ କାର୍ଯ୍ୟକ୍ରମକୁ ସେ ଯାଉଥିବେ ଓ କେଉଁ କାର୍ଯ୍ୟକ୍ରମକୁ ଯାଉନଥିବେ । କିନ୍ତୁ ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କୁ କେନ୍ଦ୍ରାପଡ଼ାରେ ଦେଖିବାକୁ ପାଇନଥିଲି । ଆମର ସମସ୍ତ ପ୍ରାର୍ଥୀ କିନ୍ତୁ ପୋଷ୍ଟରରେ ତାଙ୍କ ଫଟୋ ଲଗାଇଥିଲେ । ସେହିଭଳି କେନ୍ଦ୍ରାପଡ଼ା ସାଂସଦଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯିବା ପ୍ରସଙ୍ଗରେ ସେ କହିଛନ୍ତି, ସ୍ଥାନୀୟ ଅଞ୍ଚଳ ସହ ସମ୍ପର୍କକୁ ଦୃଷ୍ଟିରେ ରଖି ଷ୍ଟାର ପ୍ରଚାରକ ବଛାଯାଇଛି । ତିର୍ତ୍ତୋଲ ବେଳେ ମୁଁ ଷ୍ଟାର ପ୍ରଚାରକ ଥିଲି, ହେଲେ ଏବେ ନାହିଁ । ଅଞ୍ଚଳରେ ଯେଉଁମାନଙ୍କର ପ୍ରଭାବ କିଛି ଥାଏ, ତାକୁ ବିଚାର କରି ଦଳ ନିଷ୍ପତ୍ତି ନିଏ । ଲୋକଙ୍କ ମତ ଜଣେ ରାଜନେତାଙ୍କ ମାପକାଠି । କିଏ କେମିତି ଲୋକଙ୍କ ପାଇଁ କାର୍ଯ୍ୟ କରୁଛି, ତାହା ଦେଖାଯାଏ । ଦଳ ଯେତେବେଳେ କୌଣସି ନିଷ୍ପତ୍ତି ନିଏ, ସେତେବେଳେ କାର୍ଯ୍ୟଦକ୍ଷତା, ନିଷ୍ଠା, ପରିସ୍ଥିତି ଓ ଜିତିବାର ଦକ୍ଷତାକୁ ଦୃଷ୍ଟିକୁ ନିଏ । ଆଉ ଏସବୁ ନିଷ୍ପତ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି ।

ପ୍ରକାଶ ଯେ ବିଜେଡି ଷ୍ଟାର୍ ପ୍ରଚାରକ ତାଲିକାରେ ଅରିନ୍ଦମ ଓ ଆକାଶ ଦାସନାୟକଙ୍କୁ ରଖିଛି । ହେଲେ ଅନୁଭବଙ୍କୁ ରଖିନାହିଁ । ପିପିଲି ଉପନିର୍ବାଚନ ବେଳେ ମଧ୍ୟ ତାଙ୍କୁ ବାଦ୍ ଦିଆଯାଇଥିଲା । ଅନ୍ୟପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଚାରରେ ନେବାଲାଗି ବିଜେଡି ନେତାଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନ ବେଳେ ଏ କଥା ଦେଖିବାକୁ ମିଳିଥିଲା । ଏପରିକି ନିକଟରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାଲାଗି ବିଜେଡିର ସବୁ ବିଧାୟକ, ମନ୍ତ୍ରୀ, ସାଂସଦ ଗଞ୍ଜାମ ଯାଇଥିବା ବେଳେ ବର୍ଷାଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଥିଲା । ସେ ସେଠାକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ଏକ ଭଜନ ଆଲବମ୍ ମଧ୍ୟ ସୁଟ୍ କରିଥିଲେ । ହେଲେ ସାଂସଦ ଅନୁଭବଙ୍କୁ ସେଠାକୁ ଡକାଯାଇନଥିଲା । ପତ୍ନୀଙ୍କ ସହ ବିବାଦ ପରେ ବିଜେଡି ପାଇଁ ଅନୁଭବ ଏବେ ସମ୍ପତ୍ତି ବଦଳରେ ସମସ୍ୟା ସାଜିଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି ।