ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟପୁର-ଝାରସୁଗୁଡ଼ା ବିମାନକୁ ବାତିଲ କରାଯାଇଛି। ସେଥିପାଇଁ ଝାରସୁଗୁଡ଼ାରୁ ଯାତ୍ରୀମାନେ ରାୟପୁର ଯିବା ପାଇଁ ବୁକିଂ କରୁନାହାନ୍ତି। ସେହିପରି ଛତିଶଗଡ଼ରୁ ମଧ୍ୟ ଅଳ୍ପସଂଖ୍ୟକ ଝାରସୁଗୁଡ଼ା ଆସିବା ପାଇଁ ବୁକିଂ କରୁଛନ୍ତି। ଫଳରେ କରୋନା ସଂକ୍ରମଣ ଓ ଅଳ୍ପ ବୁକିଂକୁ ଦୃଷ୍ଟିରେ ରଖି ଏଲାୟନ୍ସ ଏୟାର ପକ୍ଷରୁ ଆଜି ବିମାନ ବାତିଲ କରାଯାଇଛି ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ଅନ୍ୟପଟେ କରୋନା ସଂକ୍ରମଣ ଏପରି ଜାରି ରହିଲେ ଏବଂ ବୁକିଂ ସ୍ପଳ୍ପ ହେଲେ ଆଗାମୀ ଦିନରେ ମଧ୍ୟ ବିମାନ ବାତିଲ ହେବ ବୋଲି ଜଣାପଡ଼ିିଛି। ତେବେ ଛତିଶଗଡ଼ରୁ କରୋନା ସଂକ୍ରମଣ ଯେପରି ଝାରସୁଗୁଡ଼ାରେ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଛତିଶଗଡ଼ ସହ ସମସ୍ତ ସୀମାନ୍ତ ରାସ୍ତାକୁ ସିଲ କରି ଲୋକଙ୍କ ଯାତାୟାତକୁ ବାରଣ କରିଛି।