ଆହାର କେନ୍ଦ୍ର ଖାଦ୍ୟରୁ ବାହାରିଲା ମୃତ ଝିଟିପିଟି : ନିର୍ବାହୀ ଅଧିକାରୀଙ୍କ ଘଟଣା ଚପାଇବାକୁ ଉଦ୍ୟମ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅଧୀନରେ ରହିଥିବା ଆହାର କେନ୍ଦ୍ରର ପରିଚାଳନାଗତ ତୃଟି ଜନସାଧାରଣଙ୍କ ପାଇଁ ବିପଦ ସାଜିଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଆହାର କେନ୍ଦ୍ରର ଆହାରରେ ମାଛି ଏବଂ ଝିଟିପିଟି ଆଦି ବାହାରୁଥିବା ଜଣାପଡ଼ିଛି। ଫଳରେ ଏହି କେନ୍ଦ୍ରକୁ ଆହାର ପାଇଁ ଆସୁଥିବା ଗରିବ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ମଧ୍ୟାହ୍ନରେ କଚେରୀ ରୋଡସ୍ଥିତ ଆହାର କେନ୍ଦ୍ରରେ ଅନ୍ୟଦିନମାନଙ୍କ ଭଳି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। କେତେକ ଶ୍ରମିକ ଆଜି ମଧ୍ୟାହ୍ନ ଭୋଜନ ପାଇଁ ଆହାର କେନ୍ଦ୍ରରେ ଖାଦ୍ୟ ଗ୍ରହଣ କରୁଥିବା ସମୟରେ ଉକ୍ତ ଆହାର କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ଖାଦ୍ୟ ପରିବହନରେ ନିୟୋଜିତ ଆରସିଏମଏସ ସାହି ଅଞ୍ଚଳର ଜଣେ ମହିଳାଙ୍କ ଆହାର ଥାଳିରୁ ମଲା ଝିଟିପିଟି ବାହାରିଥିଲା। ଏହା ଦେଖି ସଂପୃକ୍ତ ମହିଳା ଜଣକ ଖାଦ୍ୟ ଖାଇବା ବନ୍ଦ କରି ବାନ୍ତି କରିଥିଲେ। ପରେ ସେଠାରେ ଖାଉଥିବା ଅନ୍ୟ କେତେକ ଶ୍ରମିକ ମଧ୍ୟ ବାନ୍ତି କରି ପକାଇଥିଲେ। ଘଟଣା ଜଣାପଡ଼ିବା ପରେ ଆହାର କେନ୍ଦ୍ରର କର୍ମଚାରୀମାନେ ଉକ୍ତ ମହିଳା ଶ୍ରମିକଙ୍କୁ ସେଠାରୁ ବିଦା କରି ଦେଇ ମୃତ ଝିଟିପିଟିକୁ ଥାଳିରୁ କାଢ଼ି ଦେଇଥିଲେ। ଏନେଇ ଶ୍ରମିକଙ୍କଠାରୁ ସୂଚନା ପାଇ ଆଖପାଖ ଅଞ୍ଚଳର ଜନସାଧାରଣ ସେଠାରେ ପହଂଚି ଘଟଣା ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଂଚି ଘଟଣା ସମ୍ପର୍କରେ ପଚାରିବାରୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ଖାଦ୍ୟରୁ ମୃତ ଝିଟିପିଟି ବାହାରିଥିବା କଥା ସ୍ୱୀକାର କରିବା ସହ ତୁରନ୍ତ ଆହାର କେନ୍ଦ୍ରକୁ ବନ୍ଦ କରି ରନ୍ଧା ଖାଦ୍ୟ ସବୁକୁ ଅନ୍ୟତ୍ର ଉଠାଇ ନେଇଥିଲେ।

ସେହିପରି ଖବର ପାଇ ପୌରପରିଷଦର ସିଏମଏମ ଅଭିଷେକ ମିଶ୍ର ଆହାର କେନ୍ଦ୍ରରେ ପହଂଚି ଘଟଣା ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଆହାର କେନ୍ଦ୍ରରେ ଆଜି ମଧ୍ୟାହ୍ନ ଭୋଜନ ପାଇଁ ପହଂଚୁଥିବା ଜନସାଧାରଣଙ୍କୁ ଫେରାଇ ଦିଆଯାଇଥିଲା। ଅନ୍ୟପଟେ ଉକ୍ତ ମହିଳାଙ୍କୁ ଫୋନ ଯୋଗେ ପୌର ନିର୍ବାହୀ ଅଧିକାରୀ ଆତଶି ପରିଡ଼ା ଯୋଗାଯୋଗ କରି ଘଟଣା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ନ ଖୋଲିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏସମ୍ପର୍କରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ଆତଶି ପରିଡ଼ାଙ୍କ ମତାମତ ନେବାରୁ ସେ ଏଭଳି କିଛି ଘଟି ନଥିବା ପ୍ରକାଶ କରିବା ସହ ଘଟଣାକୁ ଚପାଇବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ନିର୍ବାହୀ ଅଧିକାରୀଙ୍କ ଏଭଳି ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଜନସାଧାରଣଙ୍କ ଜୀବନର ସୁରକ୍ଷାକୁ ନେଇ ପୌର କର୍ତୃପକ୍ଷଙ୍କ ଏଭଳି ମନୋଭାବ ଜନସାଧାରଣଙ୍କ ଆହାର କେନ୍ଦ୍ର ପ୍ରତି ଭୟ ଓ ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଆହାର କେନ୍ଦ୍ର ଉପରେ ନିର୍ଭରଶୀଳ ବହୁ ଜନସାଧାରଣ ଦାବି କରିଛନ୍ତି।